ଓଡିଶା

odisha

ETV Bharat / state

ଭଡ଼ା ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର, ଦୁର୍ଗନ୍ଧ ବାହାରିବା ପରେ ଜାଣିଲେ ଘଲ ମାଲିକ - ଭଡ଼ା ଘରୁ ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର

କଟକ ଚାଉଳିଆଗଞ୍ଜରେ ଏକ ଭଡ଼ା ଘରୁ ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ଘର ମାଲିକ । ଅଧିକ ପଢ଼ନ୍ତୁ

ଭଡ଼ା ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ
ଭଡ଼ା ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ

By

Published : Jul 23, 2023, 4:33 PM IST

ଭଡ଼ା ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ

କଟକ: ବନ୍ଦ ଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଚାଉଳିଆଗଞ୍ଜରେ ଘଟିଛି ଏପରି ଘଟଣା । ମୃତ ଡାକ୍ତରଙ୍କ ନାଁ ମାଲାଦି ଭେଙ୍କଟ ଚନ୍ଦ୍ରଶେଖର । ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାମ କରୁଥିବା ମାଲାଦି ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତଦେହ ଏକ ବନ୍ଦ ଘରୁ ମିଳିଛି । କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ସେ ୪ ବର୍ଷ ହେବ ଭଡ଼ାରେ ରହୁଥିଲେ । ଘର ମାଲିକଙ୍କ କହିବା ଅନୁସାରେ ଡାକ୍ତରଙ୍କର ଶ୍ବାସ ଏବଂ ଅନ୍ୟାନ୍ୟ ରୋଗ ରହିଥିଲା । ତେବେ ସେ ଏକାକୀ ରହୁଥିଲେ ବୋଲି ଜଣାପଡ଼ିଛି ।

ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ଘର ମାଲିକ ଓ ପଡୋଶୀ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଏହାପରେ ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି ପୋଲିସ । ତେବେ ଡାକ୍ତର ଜଣକଙ୍କର ଶ୍ବାସ ଏବଂ ଅନ୍ୟାନ୍ୟ ରୋଗ ରହିଥିବାରୁ ସ୍ବାସ୍ଥ୍ୟ ବିଗିଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଘର ମାଲିକ ସନ୍ଦେହ କରୁଥିବା କହିଛନ୍ତି । ସେପଟେ ଶୋଇବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାରୁ ହୃଦ୍‌ଘାତରୁ ମଧ୍ୟ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଡାକ୍ତରଙ୍କ ମୃତ୍ୟୁର ପ୍ରକୃତ କାରଣ ଏବେ ଅସ୍ପଷ୍ଟ ରହିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଏହା ସହିତ ଅଧିକ ପଚରାଉଚରା କରିବା ସହ ଡାକ୍ତରଙ୍କ ମୃତ୍ୟୁର ତଦନ୍ତ ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତ୍ୟୁ, ଯୋବ୍ରା ବ୍ୟାରେଜରୁ ମିଳିଲା ମୃତଦେହ

ଏନେଇ ଘର ମାଲିକ କହିଛନ୍ତି,"ଡାକ୍ତର ଜଣକଙ୍କର ଶ୍ବାସ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ସେ ଏପରିକି କିଛି ଦିନ ପୂର୍ବରୁ ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ତାଙ୍କର ଏକ ହାତ ଭାଙ୍ଗିଯାଇଥିଲା । ସେ ସବୁବେଳେ ଧୂମ୍ରପାନ କରୁଥିଲେ । ଏକାକୀ ରହୁଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଦୁର୍ଗନ୍ଧ ହେଉଥିବାରୁ ଆମେ ସନ୍ଦେହ କରି କବାଟ ବାଡ଼େଇଥିଲୁ । ହେଲେ କବାଟ ଭିତରୁ ବନ୍ଦ ରହିଥିଲା । ଫୋନ କରିବା ପରେ ଦୁଇ ଥର ରିଙ୍ଗ୍‌ ହୋଇ ସ୍ବିଚ୍‌ଅଫ ହୋଇଗଲା । ଏହାପରେ ତୁରନ୍ତ ଆମେ ପୋଲିସକୁ ଖବର ଦେଇଥିଲୁ ।" ସେପଟେ ସ୍ଥାନୀୟ ଏସିପି କହିଛନ୍ତି, "ଗତକାଲି ସନ୍ଧ୍ୟାରେ ଖବର ପାଇ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ହେଲେ ରାତି ହୋଇଯାଇଥିବାରୁ ଆମେ କୌଣସି ପଦକ୍ଷେପ ନେଇନଥିଲୁ । ଆଜି ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ମୃତଦେହ ଜବତ କରିଛୁ । ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବାରୁ ଏନେଇ କାହାକୁ ସନ୍ଦେହ କରାଯାଇନି ।" ହେଲେ ତଦନ୍ତ ଚାଲିଥିବା ସେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details