ଓଡିଶା

odisha

ETV Bharat / state

କୋରୋନା ଆଗରେ ହାର ମାନିଲା ଆଲୋକର ପର୍ବ! - corona

କୋରୋନା ମାଡରେ ଯେମିତି ସବୁ କିଛି ଫିକା। ଦୀପାବଳି ପର୍ବକୁ କେହି ସେମିତି ପାଳନ କରୁନାହାଁନ୍ତି। କାଁ ଭାଁ କେଉଁଠି ବାଣ ଫୁଟୁଛି, କାଁ ଭାଁ କେଉଁଠି ମାଟି ଦୀପର ଶିଖା ଜଳି ଉଠୁଛି, ତ ଆଉ କେଉଁଠି ଲିଚୁ ଲାଇଟର ଝିକ୍‌ମିକ୍ ଆଲୁଅ ପ୍ରାସାଦର ଶୋଭା ବଢାଉଛି । କୋରୋନା ଲୋକଙ୍କ ମନରେ ଏମିତି ଭୟ ତିଆରି କରିଦେଇଛି ଯେ, ଦୀପାବଳି ଭଳି ଉତ୍ସାହପ୍ରଦ ପର୍ବକୁ ପାଳନ କରିବାକୁ କେହି ମନ ବଳାଉ ନାହାଁନ୍ତି ।

କୋରୋନା ଆଗରେ ହାର ମାନିଲା ଆଲୋକର ପର୍ବ!
କୋରୋନା ଆଗରେ ହାର ମାନିଲା ଆଲୋକର ପର୍ବ!

By

Published : Nov 14, 2020, 8:29 PM IST

Updated : Nov 14, 2020, 8:48 PM IST

ହାଇଦ୍ରାବାଦ: ଆଜି(ଶନିବାର) ସମଗ୍ର ଭାରତ ବର୍ଷରେ ଦୀପାବଳି ପାଳନ କରାଯାଉଛି । ଖୁବ୍ ଧୁମଧାମରେ ନ ହେଲେ ବି ନିରାଡମ୍ବର ଭାବେ ଆଲୋକର ଏହି ପର୍ବକୁ ଛୋଟରୁ ବଡ ସମସ୍ତେ ପାଳନ କରୁଛନ୍ତି । କିଛି କିଛି ସ୍ଥାନରେ ବାଣ ଫୁଟେଇବାକୁ ନିଷେଧ କରାଯାଇଥିବାବେଳେ ଆଉ କିଛି କିଛି ଜାଗାରେ ଗ୍ରୀନ ଦୀପାବଳି ପାଳନ କରାଯାଉଛି । ପ୍ରଚୁର ଶବ୍ଦ ଥିବା ବାଣ ନ ଫୁଟିଲେ ବି ଅନାର ଆଉ ଝୁରଝୁରି ଫୁଟା ହେଉଛି । ଘର ନ ସଜା ହେଲେ ବି ବାହାରେ ଦୀପର ପସରା ଜମିଛି । କିନ୍ତୁ ନାହିଁ ସେ ଉତ୍ସାହ ନାହିଁ ସେ ଆଗ୍ରହ। ଫିକା ପଡିଛି ସମଗ୍ର ପରିବେଶ। ଶାନ୍ତ ପଡିଛି ଗଗନ-ପବନ। ଖାଲି ପଡିଛି ଦୋକାନ-ବଜାର, ଜମୁନି ବ୍ୟବସାୟ। କୋରୋନା ପଞ୍ଝାରେ ଦୀପାବଳି ମଧ୍ୟ ବଳି ପଡିଗଲା। କେହି କେବେ ଭାବି ନ ଥିଲେ ଆଲୋକର ପର୍ବ ଦୀପାବଳି ଅନ୍ଧକାରରେ ପରିବର୍ତ୍ତନ ହୋଇଯିବ। କୋରୋନା ଆଗରେ ଦୀପ ଶିଖାର ଆଲୁଅ ମଧ୍ୟ ଧୀରେ ଧୀରେ ଝାପ୍ସା ହୋଇଯିବ। କୋରୋନା ଆଗରେ ସମସ୍ତେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଛନ୍ତି ।

ମଉଳିଯାଇଛି ବ୍ୟବସାୟୀର ମନ, ମଉଳିଯାଇଛି ଛୋଟ ଛୁଆର ମନ, ଆଉ ମଉଳିଯାଇଛି ଦୀପାବଳିକୁ ନେଇ ଉତ୍ସାହିତ ଥିବା ପ୍ରତ୍ୟେକ ଯୁବକ-ଯୁବତୀଙ୍କ ଭାବାବେଗ। ବର୍ଷକୁ ଥରୁଟିଏ ଆସୁଥିବା ଦୀପାବଳିକୁ ସମସ୍ତେ ଆଗ୍ରହ ସହକାରେ ଅନେଇ ବସିଥାନ୍ତି । କାରଣ ଏହି ପର୍ବରେ ଅନ୍ଧକାର ଉପରେ ଆଲୋକର ବିଜୟ ହୋଇଥାଏ। ଆଲୁଅର ଉଜ୍ବଳତାରେ କାଳ ରାତ୍ରୀ ମଧ୍ୟ କାହିଁ କେଉଁ ଆଡେ ଉଭେଇ ଯାଇଥାଏ। ଏହି ଦିନ କାହା ଘର ମଧ୍ୟ ଅନ୍ଧାରରେ ରହି ନ ଥାଏ। ତେଣିକି ସେ ଧନୀ ହେଉ କି ଗରିବ, ପ୍ରତ୍ୟେକଙ୍କ ଘର ଆଗରେ ମାଟି ଦୀପଟି ଜଳୁଥାଏ। ଆତସବାଜିରେ ଚତୁର୍ଦ୍ଦିଗ କମ୍ପି ଉଠୁଥାଏ। ମିଠା ଓ ପିଠାର ପସରାରେ ଘରେ ଖୁସିର ମାହୋଲ ବନିଥାଏ।

କିନ୍ତୁ କୋରୋନା ମାଡରେ ଯେମିତି ସବୁ କିଛି ଫିକା। ଦୀପାବଳି ପର୍ବକୁ କେହି ସେମିତି ପାଳନ କରୁନାହାଁନ୍ତି। କାଁ ଭାଁ କେଉଁଠି ବାଣ ଫୁଟୁଛି, କାଁ ଭାଁ କେଉଁଠି ମାଟି ଦୀପର ଶିଖା ଜଳି ଉଠୁଛି, ତ ଆଉ କେଉଁଠି ଲିଚୁ ଲାଇଟର ଝିକ୍‌ମିକ୍ ଆଲୁଅ ପ୍ରାସାଦର ଶୋଭା ବଢାଉଛି । କୋରୋନା ଲୋକଙ୍କ ମନରେ ଏମିତି ଭୟ ତିଆରି କରିଦେଇଛି ଯେ, ଦୀପାବଳି ଭଳି ଉତ୍ସାହପ୍ରଦ ପର୍ବକୁ ପାଳନ କରିବାକୁ କେହି ମନ ବଳାଉ ନାହାଁନ୍ତି । କଟକଣାକୁ ମାନିବାକୁ ସମସ୍ତେ ବାଧ୍ୟ ହେଉଛନ୍ତି ।

ଦୀପାବଳି ମାସକ ଆଗରୁ ଆବାଳବୃଦ୍ଧବନିତାଙ୍କ ମନରେ ଆନନ୍ଦର ଫୁଆର ଉଠିଥାଏ। ଘରକୁ କୁଣିଆମୈତ୍ର ଆସିଥାନ୍ତି । ସମଗ୍ର ପରିବେଶ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇଥାଏ। ଯୁଆଡେ ଚାହିଁବ, ସିଆଡେ ତାରା ପରି ଚିକ୍‌ମିକ୍ ଆଲୁଅ। ଏମିତି ଲାଗୁଥାଏ, ସତେ ଯେମିତି ସାରା ସହର ଏକ ନୂଆବୋହୂ ପରି ସଜେଇ ହୋଇଛି । ଘର ଦୁଆରମୁହଁରେ ଜଳୁଥିବା ମାଟି ଦୀପର ଦିକ୍ ଦିକ୍ ଆଲୁଅ ମନରେ ସକାରାତ୍ମକ ଚିନ୍ତାଧାରା ଆଣିଥାଏ। ଝୁରଝୁରି, କୁମ୍ପି, ଦିଆସିଲି ବାଣ ଛୋଟ ଛୁଆ ମୁହଁରେ ହସ ଆଣିଦେଇଥାଏ। କିନ୍ତୁ ଏ ବର୍ଷ ସମସ୍ତଙ୍କ ମୁହଁରୁ ଯେପରି ହସ ଲିଭି ଯାଇଛି। ରାତି ଯେପରି ଏକପ୍ରକାର ନିସ୍ତବ୍ଧ ହୋଇଯାଇଛି । ନା ଅଛି ତାଳ ଫୋଟକାର ଠୋ ଠା ଶବ୍ଦ, ନା ଅଛି ରକେଟ୍ ବାଣର ସାଏଁ ସାଏଁ ଶବ୍ଦ।

ହେଲେ ସମସ୍ତେ ପରିସ୍ଥିତିର ଦାସ। ସମୟ ଅନୁସାରେ ମନୁଷ୍ୟକୁ ତାଳ ଦେଇ ଚାଲିବାକୁ ପଡେ। କୋରୋନା ମହାମାରୀ ସାରା ଦୁନିଆଁକୁ ଗ୍ରାସ କରିବାକୁ ବସିଛି । ମୃତ୍ୟୁସଂଖା ଯେତିକି ବଢୁଛି, ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ତା ଠାରୁ ଦୁଇଗୁଣା ବୃଦ୍ଧି ପାଉଛି । ସମସ୍ତେ ମିଳିତ ଭାବେ ଏହାକୁ ଦମନ କରିବା ପାଇଁ ଆଗେଇ ଆସିବା ଉଚିତ୍। ଏହି ଦୁର୍ଦ୍ଦିନ ଦିନେ ନା ଦିନେ ଉଭେଇ ଯିବ। ସତ୍ୟ ଉପରେ ଅସତ୍ୟର ଜୟ ହେବ। ଏହାପରେ ସମସ୍ତେ ମିଳିମିଶି ଆଲୋକର ପର୍ବ ଦୀପାବଳିକୁ ଖୁବ୍ ଆଡମ୍ବରସହକାରେ ପାଳନ କରିବା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 14, 2020, 8:48 PM IST

ABOUT THE AUTHOR

...view details