କଟକ: ଓଡିଶା କ୍ରିକେଟକୁ ନୂଆ କୋଚ ମିଳିଛନ୍ତି । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ଓଡିଶା ଦଳର ମୁଖ୍ୟ କୋଚ ଦାୟିତ୍ବ ପ୍ରଦାନ କରିଛି ଓଡିଶା କ୍ରିକେଟ ଆସୋସିଏସନ । ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ଭାବେ ଦିନେଶ ମୋଙ୍ଗିଆ ଓ ମହିଳା ସିନିୟର ଦଳର ମୁଖ୍ୟ କୋଚ ଭାବେ ରୁମେଲି ଧରଙ୍କୁ ନିଯୁକ୍ତି ମିଳିଛି । ନୂଆ କୋଚଙ୍କ ଗୁରୁମନ୍ତ୍ରରେ ମଇଦାନକୁ ଓହ୍ଲାଇବେ ଓଡିଶା ଟିମ୍ । ବିଶେଷ କରି ଆସନ୍ତାବର୍ଷ ବିସିସିଆଇ ଘରୋଇ ସିଜନରେ ଦିନେଶ ମୋଙ୍ଗିଆଙ୍କ ଗୁରୁମନ୍ତ୍ରୀରେ ପଡିଆକୁ ଓହ୍ଲାଇବ ଓଡିଶା କ୍ରିକେଟ ଟିମ । ଓଡିଶା କ୍ରିକେଟ ପ୍ରଶିକ୍ଷକ ଭାବେ ଦିନେଶ ଓ ରୁମେଲିଙ୍କ ନିଯୁକ୍ତ କରାଯାଇଥିବା ନେଇ ପ୍ରେସ ବିବୃତ୍ତି ଜାରି କରି ସୂଚନା ଦେଇଛି ଓଡିଶା କ୍ରିକେଟ ସଂଘ । ଉଭୟଙ୍କ କାର୍ଯ୍ୟକାଳ 1 ବର୍ଷ ପାଇଁ ସ୍ଥିର ହୋଇଛି ।
ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିଅରରେ ଦିନେଶ 6 ବର୍ଷରେ 57ଟି ଏକଦିବସୀୟ ଏବଂ ଗୋଟିଏ ଟି-20 ମ୍ୟାଚ ଖେଳିଛନ୍ତି । ବିସିସିଆଇ ଘରୋଇ କ୍ରିକେଟରେ 121ଟି ପ୍ରଥମଶ୍ରେଣୀ ଓ 198ଟି ଲିଷ୍ଟ-ଏ ଫର୍ମାଟ ମ୍ୟାଚରେ ତାଙ୍କର ଅଭିଜ୍ଞତା ରହିଛି । ପୂର୍ବରୁ ଦିନେଶ ଅରୁଣାଚଳ ପ୍ରଦେଶର କୋଚ ଦାୟିତ୍ବରେ ଥିଲେ । ଜାତୀୟ ରେକର୍ଡ ଦେଖାଯାଏ ତେବେ ଦିନିକିଆରେ ଭାରତ ପାଇଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଯାଦୁ ଦେଖାଇଛନ୍ତି ଦିନେଶ । ତାଙ୍କର ଓଡିଶା ଟିମକୁ ଆସିବା କେତେ ଫଳପ୍ରଦ ହେବ ତାକୁ ହିଁ ଅପେକ୍ଷା । ବିଗତ ଦିନରେ ଓସିଏକୁ ଅନେକ ଜାତୀୟ ଦଳର ଖେଳାଳି କୋଚ ହିସାବରେ ଆସିଛନ୍ତି ହେଲେ ଦଳ ସଫଳ ହୋଇନାହିଁ । ମୋଙ୍ଗିଆଙ୍କ ଆଗମନ ସଫଳ ହେବ ବୋଲି ଆଶା ରଖିଛି ଓସିଏ ।
ଏହା ବି ପଢନ୍ତୁ...ଘରୋଇ ଟୁର୍ଣ୍ଣାମେଣ୍ଟ ପୁରସ୍କାର ରାଶି ବୃଦ୍ଧି କଲା BCCI, ଜାଣନ୍ତୁ କାହାକୁ ମିଳିବ କେତେ ?
ମହିଳା ସିନିୟର ଦଳର ମୁଖ୍ୟ କୋଚ ନିଯୁକ୍ତ ହୋଇଥିବା 39 ବର୍ଷୀୟ ରୁମେଲି ଧର ଜାତୀୟ ଦଳ ପକ୍ଷରୁ ଟେଷ୍ଟ, ଦିନିକିଆ ଓ ଟି-20 ମ୍ୟାଚ ଖେଳିଛନ୍ତି । ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ପରିଚିତ ରୁମେଲି । ଭାରତ ପକ୍ଷରୁ ସେ 4ଟି ଟେଷ୍ଟ. 78ଟି ଦିନିକିଆ ଓ 18ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମ ପୂର୍ବତନ ଅଧିନାୟିକା ରୁମେଲି ଧର ଗତବର୍ଷ କ୍ରିକେଟରୁ ଅବସର ନେଇଥିଲେ । 2003 ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ରୁମେଲି ।