କଟକ: ଆଜିଠୁ ଖୋଲିଲା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିର । ଅସ୍ଥାୟୀ ରାସ୍ତା ଦେଇ ଧବଳେଶ୍ଵରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ମଞ୍ଚେଶ୍ବର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ବର ପଠାକୁ ସଂଯୋଗ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ଚାଲିଚାଲି ଯାଇ ଧବଳେଶ୍ବରଙ୍କ ଦର୍ଶନ କରିପାରିବେ ।
ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟରେ ସତ୍ତା ହରାଉଛି କଂଗ୍ରେସ ! ନେତୃତ୍ବର ଶୂନ୍ୟସ୍ଥାନ ରହିଛି କହିଲେ ରାଜନୀତି ସମୀକ୍ଷକ
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ପ୍ରଭୁ ଧବଳେଶ୍ଵର ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଝୁଲାପୋଲ ଅସୁରକ୍ଷିତ ଥିବାରୁ ନଭେମ୍ବର 1 ତାରିଖରୁ ଝୁଲା ପୋଲ ପରିସରରେ ଆଠଗଡ଼ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ କରାଯାଇ ମନ୍ଦିର ଆସିବାକୁ ଭକ୍ତଙ୍କୁ ବାରଣ କରାଯାଇଥିଲା । ପୂଜକ ସମିତି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ଦାବି ଜୋର ଧରିବାରୁ ମହାନଦୀ ମଧ୍ୟରେ ମଞ୍ଚେଶ୍ୱର ପଟୁ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଭକ୍ତଙ୍କୁ ଦର୍ଶନ ନିମନ୍ତେ ଅନୁମତି ମିଳିଛି । ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି, "ଅନେକ ଦୂରରୁ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲୁ । କିନ୍ତୁ ଶୃଙ୍ଖଳିତ ଭାବେ ଧବଳେଶ୍ବରଙ୍କ ଦର୍ଶନ ପାଇଲୁ । ଦର୍ଶନ ପାଇଁ ଖୁସି ଅନୁଭବ କରୁଛୁ । ଗୁଜୁରାଟ ମୋର୍ବି ଝୁଲାପୋଲ ଘଟଣା ପରେ ଧବଳେଶ୍ବର ଝୁଲାପୋଲ ଉପରେ କଟକଣା ଲାଗୁ କରାଯାଇଛି । କିନ୍ତୁ ଅସ୍ଥାୟୀ ରାସ୍ତା ଦେଇ ଯାତାୟାତ ପାଇଁ ଅନୁମତି ମିଳିଛି ।