କଟକ: କୋରୋନା ମହାମାରୀ ପାଇଁ ସରକାରଙ୍କ ପକ୍ଷରୁ ଲାଗୁ ଲକଡାଉନ ଓ ସପ୍ତାହିକ ସଟ ଡାଉନ ହଟିବା ଏବେ ଜନଜୀବନ ସ୍ୱାଭାବିକ ହୋଇଛି । କୋଭିଡ ନିୟମର ପାଳନ ସହ ଲୋକେ ରାଜରାସ୍ତାକୁ ଆସୁଛନ୍ତି । କୋରୋନା ଭୟରେ ଘର ଚତୁପାର୍ଶ୍ଵକୁ ସଫା ରଖିବା ସହ ନିଜେ ସଫାସୁତୁରା ରହିବା ନେଇ ସଚେତନ ହୋଇଛନ୍ତି ଲୋକେ । ଏହି କାରଣରୁ ସହର ପାଇଁ ମିଳିଛି ଏକ ଆଶ୍ବସ୍ତିକର ଖବର । ସହରରେ କମିଛି ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମାରାତ୍ମକ ଜ୍ଵରର ପ୍ରକୋପ ।
କାରୋନା କାଳରେ କଟକରେ କମିଛି ଡେଙ୍ଗୁ-ମ୍ୟାଲେରିଆ ସିଏସି ମଧ୍ୟ ସହରକୁ ସ୍ବଚ୍ଛ ରଖିବା ନେଇ ଯତ୍ନବାନ ହୋଇଛି । ପୂର୍ବରୁ ଯେଉଁ ଛକରେ ଅଳିଆ ଗଦା ହେଉଥିଲା ଏବେ ସେହି ରାସ୍ତାଘାଟ ପୁରା ଚକାଚକ କରିଛି । ଫଳରେ ଚଳିତ ବର୍ଷ ଡେଙ୍ଗୁ ଓ ମ୍ୟାଲେରିଆ ସଂଖ୍ୟାରେ ଅନେକ ସୁଧାର ଆସିଛି । ଏଯାବତ ମାତ୍ର 8 ଟି ମ୍ୟାଲେରିଆ ଓ 46 ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ମାରାତ୍ମକ ଜ୍ବର କାରଣରୁ ଚଳିତ ବର୍ଷ କାହାରି ଜୀବନହାନୀ ହୋଇନାହିଁ । ଲୋକଙ୍କ ସଚେତନତା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଉଛି ।
ମାତ୍ର କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ 350ରୁ ଊର୍ଦ୍ଧ୍ବ ପଜିଟିଭ କେସ୍ ସାମ୍ନାକୁ ଆସୁଛି। ଫଳରେ ଲୋକମାନେ ବେଶ ସଚେତନତା ଅବଲମ୍ବନ କରୁଛନ୍ତି । ଏପରି ସ୍ଥିତିରେ ସ୍ବଚ୍ଛ ପରିବେଶ ସହ ସାବଧାନତା ଓ ସଚେତନତା କୋରୋନା ସହ ଡେଙ୍ଗୁ ଓ ମ୍ୟାଲେରିଆକୁ ମାତ ଦେବ ବୋଲି ଆଶା ।
ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ ଏକ ଶୁଭ ସଙ୍କେତ । ପରିସ୍ଥିତି ନେଇ ପ୍ରସ୍ତୁତ ଅଛୁ ବୋଲି ଫୋନ ଯୋଗେ କହିଛନ୍ତି ସିଡିଏମଓ ସତ୍ୟବ୍ରତ ଛୋଟରାୟଙ୍କଙ୍କ ସ୍ଥାନରେ ଥିବା ଉମେଶ ରାୟ ।
କୋରୋନା କାଳରେ ମ୍ୟାଲେରିଆ ଏବଂ ଡେଙ୍ଗୁ କେସ୍ ସରକାର ଏବଂ ପ୍ରଶାସନ ପାଇଁ ସର୍ବାଧିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ତେବେ ସହରବାସୀ ସ୍ବଚ୍ଛତା ଏବଂ ପରିଛନ୍ନକୁ ଫୋକସ କଲେ ଡେଙ୍ଗୁ ଆତଙ୍କ ସୃଷ୍ଟି ହେବ ନାହିଁ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ