କଟକ: ଆସନ୍ତା ୨୬ ତାରିଖରୁ ହେବ ମାଟ୍ରିକ ମୂଲ୍ୟାୟନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ପଟେ ମୂଲ୍ୟାୟନ କୁ ନେଇ ସାମାନ୍ୟ ଆଶ୍ବସ୍ଥି ମିଳିଥିବା ବେଳେ ଅନ୍ୟପଟେ ସଠିକ ମୂଲ୍ୟାୟନ ଉପରେ ପ୍ରଶ୍ନ କରିଛନ୍ତି ପରୀକ୍ଷାର୍ଥୀ ତଥା ଅଭିଭାବକ। ଯେଉଁ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବା କଥା, ଏପର୍ଯ୍ୟନ୍ତ କିନ୍ତୁ ଖାତାଦେଖା ଆରମ୍ଭ ହୋଇନାହିଁ। ଏହାରି ଭିତରେ ବାରମ୍ବାର ଖାତାଦେଖା ତାରିଖ ବି ଘୁଞ୍ଚି ସାରିଲାଣି।
ଯଦିଓ ଆସନ୍ତା ୨୬ ତାରିଖରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ, ତାହା କେବେ ଶେଷ ହେବ ତାହା କହିବା ବର୍ତ୍ତମାନ ସମୟରେ ସମ୍ଭବ ପର ନୁହେଁ। କାରଣ କୋରୋନା ପାଇଁ ଏପରି ସମସ୍ୟା ଦେଖାଦେଇଛି। ଯେପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶ ନ ପାଇଛି ମୂଲ୍ୟାୟନ କୁ ନେଇ ସେତିକି ସସପେନ୍ସ ବଢି ଚାଲିଛି। ତେବେ ମୂଲ୍ୟାୟନକୁ ନେଇ ଚିନ୍ତାରେ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ।
ଅନ୍ୟପଟେ ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା କୁ ନାପସନ୍ଦ କରିଛନ୍ତି ବୋର୍ଡର ପୂର୍ବତନ ସଭାପତି ସତ୍ୟକାମ ମିଶ୍ର। କୋରୋନା ସମୟରେ ଖାତାଦେଖା ପ୍ରକ୍ରିୟା ରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ସିବିଏସଇ ଢାଞ୍ଚା ରେ ଖାତାଦେଖା କରାନଗଲେ ଚଳିତ ବର୍ଷ ମୂଲ୍ୟାୟନ ପ୍ରକ୍ରିୟା ବେଶ ପ୍ରଭାବିତ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।