କଟକ: ପୁଣି ମୃତଦେହକୁ ଅସମ୍ମାନ । ଆମ୍ବୁଲାନ୍ସ ପାଇଁ ଲାଞ୍ଚ ନଦେବାରୁ ଅଲୋଡା ହୋଇଛି ଶବ । ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଟ୍ରଲିରେ ବୋହି ନେଇଛନ୍ତି ମୃତଦେହକୁ । ବିଦ୍ୟୁତ ଆଘାତରେ ବାଙ୍କୀ ଚକାପଦା ଗ୍ରାମର ସଞ୍ଜୟ ଦାସଙ୍କର ଅବସ୍ଥା ଗୁରୁତର ହୋଇଥିଲା । ପରେ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ପରେ ସଞ୍ଜୟଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବାଙ୍କୀ ଡାକ୍ତରଖାନା ନିଆଯାଇଥିଲା । ତେବେ ମୃତକଙ୍କ ସାନ ଭାଇ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସକୁ ମୃତଦେହ ନେବା ପାଇଁ ଅନୁରୋଧ କରିଥିଲେ । ହେଲେ ଆମ୍ବୁଲାନ୍ସ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲା । କିନ୍ତୁ ପରିବାର ଲୋକେ ୨ ହଜାର ଟଙ୍କା ଦେବାକୁ ଅସମର୍ଥ ହେବାରୁ ବାଧ୍ୟ ହୋଇ ମୃତଦେହକୁ ଟ୍ରଲିରେ ନେଇ ଯାଇଥିଲେ।