କଟକ: ରାଜ୍ୟରେ ବଢୁଛି ସାଇବର କ୍ରାଇମ । ବିଭିନ୍ନ ସୋସିଆଲ ମିଡିଆ ତଥା ଆପ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ଠକିବାରେ ଲାଗିଛନ୍ତି ଠକ । ଡିଜିଟାଲ ଦୁନିଆରେ ମୋବାଇଲ ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ ହୋଇଛି । ନିଜଠୁ କ୍ଷଣିଏ ମୋବାଇଲକୁ ଲୋକେ ଦୂରେଇ ରଖିପାରୁନାହାନ୍ତି । ଫଳରେ ବଢୁଛି ସାଇବର ଠକେଇ । ଯାହାକୁ ନେଇ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି କମିଶନରେଟ ପୋଲିସ ।
ବର୍ତ୍ତମାନ ବୟସ୍କ ବ୍ୟକ୍ତି ମାନେ ସୋସିଆଲ ମିଡିଆରେ କ୍ରାଇମର ବେଶି ଶିକାର ହେଉଛନ୍ତି । ବିଶେଷ ଭାବରେ ଜ୍ଞାନ ନଥିବା ହେତୁ ହ୍ୟାକର ଓ ଲୁଟେରାମାନେ ଏହାର ସୁଯୋଗ ନେଇ, ସେମାନଙ୍କ ଟଙ୍କା ଲୁଟିବାରେ ସଫଳ ହେଉଛନ୍ତି । ଏପରି ସ୍ଥଳେ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ଅଭିଯାନ । ସୋସିଆଲ ମିଡିଆର ସଠିକ ଓ ଭୁଲ ଦିଗକୁ ବୟସ୍କ ବ୍ୟକ୍ତିଙ୍କୁ ବୁଝେଇବା ଆରମ୍ଭ କରିଛି କମିଶନରେଟ ପୋଲିସ ।
ଆଜି ଅନୁଷ୍ଠିତ ବୈଠକରେ ବୟସ୍କ ବ୍ୟକ୍ତିମାନେ କିପରି ଏହି କ୍ରାଇମରୁ ରକ୍ଷା ପାଇପାରିବେ ସେନେଇ ଡିସିପି ଦେଇଛନ୍ତି ଗୁରୁମନ୍ତ୍ର । କିପରି ବରିଷ୍ଠ ନାଗରିକମାନେ ସାଇବର ଠକଙ୍କ ଠାରୁ ନିରାପଦ ରହିପାରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସଚେତନତା ବୈଠକ କରାଯାଇଛି । କୋଭିଡ କାରଣରୁ ଦୁଇ ବର୍ଷ ଏହି ସଚେତନତା କାର୍ଯ୍ୟକ୍ରମ ବିଶେଷ ଭାବରେ ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହି ସଚେତନତା ଦିଗ ବେଶ କ୍ଷୀପ୍ର ଗତିରେ ଆୟୋଜିତ ହେଉଅଛି ।