କଟକ: 9 ଦିନ ଧରି ଦୁଲୁକିବ କଟକ ଉପର ବାଲିଯାତ୍ରା ପଡିଆ। ଚାଲିବ ନୃତ୍ୟ, ସଙ୍ଗୀତ ଓ ନାଟକ ମହୋତ୍ସବ। ଯୋଗ ଦେବେ ରାଜ୍ୟ ଓ ରାଜ୍ୟ ବାହାରର କଳାକାର । ନଭେମ୍ବର 2 ରୁ 10 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସାତସାହି କଟକ ନୃତ୍ୟତ୍ସବ ଚଳିତବର୍ଷ ତାର 14 ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, କଳା ସଂସ୍କୃତି ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଶତାଧିକ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପ୍ରଦାନ କରିବ ନୃତ୍ୟତ୍ସଵ କମିଟି। କେବଳ ନାଚଗୀତ ନୁହେଁ 100ରୁ ଉର୍ଦ୍ଧ୍ବ ଷ୍ଟଲ ମଧ୍ୟ ରହିବ ଏହି ମହୋତ୍ସବରେ । ବିଭିନ୍ନ ପ୍ରକାର ସାମଗ୍ରୀ ସହ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉତ୍ପାଦ ବି ମିଳିବ ଏଠାରେ ।
14 ବର୍ଷ ଧରି ଚାଲି ଆସୁଥିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ସମାଜରେ ଅବହେଳିତମାନଙ୍କୁ ସହଯୋଗର ହାତ ବଢ଼େଇବା ସହ କ୍ୟାନ୍ସର, ଥଲାସେମିଆ ରୋଗୀ, ଭିନ୍ନକ୍ଷମ ଓ ଅନାଥ ଅନୁଷ୍ଠାନକୁ ସହାୟତା ଅର୍ଥ ରାଶି ପ୍ରଦାନ କରାଯିବ । ତେବେ ବାଲିଯାତ୍ରାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବାଲିଯାତ୍ର ଆୟୋଜନ କମିଟିର ଅଧ୍ୟକ୍ଷ ମେୟର ସୁବାସ ସିଂ ।
ନୃତ୍ୟ ଉତ୍ସବ କମିଟି ସମ୍ପାଦକ ଦିପେଶ ମହାପାତ୍ର କହିଛନ୍ତି, ‘‘୭୫ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳ ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ, ଭାରତନାଟ୍ୟମ, ମାପୂଜା, କୂଟିପୁକ୍ତି କରିବା ସାଙ୍ଗକୁ ଲୋକନୃତ୍ୟ ସମ୍ବଲପୁରୀ, ଗୋଟିପୁଅ ନାଚ, ଛଳନୃତ୍ୟ, ବିହୁ ଓ ଦେଶାତ୍ମବୋଧକ ସଂଗୀତ ଉପରେ ନୃତ୍ୟ ପରିବେଷଣ କରିବାର ବ୍ୟବସ୍ଥା ରହିଛି । ନୃତ୍ୟାତ୍ସବର ଚତୁର୍ଥ ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହାସହ ସନ୍ଧ୍ୟାରେ ବରିଷ୍ଠ ସିନେ ନିର୍ଦ୍ଦେଶକ ଚଣ୍ଡି ପରିଜାଙ୍କୁ ଜାତୀୟ ସିନେ ରତ୍ନ ସମ୍ମାନ ଓ ପଞ୍ଚମ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କୁ ଜାତୀୟ ସଙ୍ଗୀତ ରତ୍ନ ସମ୍ମାନ ପ୍ରଦାନ କରାଯିବ । ’’