କଟକ:ସାବଧାନ !ଅନ୍ଧବିଶ୍ବାସର ବଶବର୍ତ୍ତୀ କରାଇ ଲୁଟୁଛନ୍ତିକରୁଛନ୍ତି ଭଣ୍ଡବାବା । ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷଲକ୍ଷ ଟଙ୍କା ହଡପ କରୁଛନ୍ତି । ଏପରି ଏକ ଭଣ୍ଡ ବାବାକୁ ଧରିଛି କଟକ କମିଶନରେଟ୍ ପୋଲିସ । ଜଣେ ମହିଳାଙ୍କ ଘରୁ ଭୂତ ବିଦା କରିବା ପାଇଁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ 62 ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ ଭଣ୍ଡବାବା । ଏପରି ଘଟଣା ଅନ୍ୟ କେଉଁ ଉପାନ୍ତର ଅଞ୍ଚଳରେ ନୁହେଁ ମାତ୍ର ଘଟଣାଟି ଘଟିଛି କଟକ ସହରରେ । ଭୂତ ଭଗାଇବା ନାଁରେ ଜଣେ ମହିଳାଙ୍କଠାରୁ 62 ଲକ୍ଷ ଟଙ୍କା ଠକେଇ ନେବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ କୈଫିକ ଖାନ୍ ନାମକ ଜଣେ ତାନ୍ତ୍ରିକକୁ ଗିରଫ କରିଛି ।
କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ‘‘ଏହି ଯୁବକ ଜଣଙ୍କ ହେଉଛନ୍ତି କଟକ କେଶରପୁର ଅଞ୍ଚଳର ବାସିନ୍ଦା କୈଫିକ ଖାନ । ମାତ୍ର 27 ବର୍ଷ ବୟସ୍କ କୈଫିକ ନିଜକୁ ଜଣେ ସିଦ୍ଧି ପ୍ରାପ୍ତ ତାନ୍ତ୍ରିକର ପରିଚୟ ଦେଇ କଟକ ମଙ୍ଗଳାବାଗର ଜଣେ ମହିଳାଙ୍କଠାରୁ 62 ଲକ୍ଷ ଟଙ୍କାର ଠକି ନେଇଛି । ଏନେଇ ସମ୍ପୃକ୍ତ ମହିଳା ଜଣକଙ୍କ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ତାନ୍ତ୍ରିକ କୈଫିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ତା ପାଖରୁ ତନ୍ତ୍ର ସାଧନାରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ, ଠାକୁରଙ୍କ ମୂର୍ତ୍ତି ସହିତ 2 ଲକ୍ଷ 76 ହଜାର ନଗଦ ଟଙ୍କା, ଦୁଇଟି କାର ଗୋଟିଏ ବୁଲେଟ ଓ 70ଟି ମୋବାଇଲ ଫୋନ ଭଳି ବହୁ ସାମଗ୍ରୀ ଜବତ ହୋଇଛି ।’’