କଟକ:ବାଲିଯାତ୍ରାରେ ବିକ୍ରି ହବ କଟକି ସାମଗ୍ରୀ । ଓରମାସ ପକ୍ଷରୁ ଚଳିତବର୍ଷ ବାଲିଯାତ୍ରାରେ ସ୍ଵତନ୍ତ୍ର ଭାବେ କଟକି ସାମଗ୍ରୀକୁ ପ୍ରୋତ୍ସାହିତ କରିବାର ଯୋଜନା କରାଯାଇଛି । ଚଳିତବର୍ଷ ବାଲିଯାତ୍ରାରେ ଓରମାସର ୪୨୦ଟି ଷ୍ଟଲ ପଡ଼ିବାକୁ ଥିବାବେଳେ କଟକିଆ ସାମଗ୍ରୀ ପାଇଁ ସ୍ବତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ । ସେଥିରେ କଟକର ତାରକସି କାମ, ମାଣିଆବନ୍ଧ ହ୍ୟାଣ୍ଡଲୁମ, ଆଖୁ ଓ ବାଉଁଶ କାରିଗରୀ ଭଳି ବିଭିନ୍ନ ସାମଗ୍ରୀ ସ୍ଥାନ ପାଇବ ।
ବାଲିଯାତ୍ରାରେ କଟକି ସାମଗ୍ରୀ ଉପରେ ଫୋକସ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ ଡାଲି, ମସଲା, ଧୂପକାଠି, ବଡ଼ମ୍ବା ଅଞ୍ଚଳରୁ ଆଦିବାସୀଙ୍କ ହାତତିଆରି ଗହଣା, ହସ୍ତତନ୍ତ ସାମଗ୍ରୀ, ଖାଦ୍ୟ ଓ ମସଲା, ଆଖୁ ଓ ବାଉଁଶ କାରିଗରୀ ସମାଗ୍ରୀ ଷ୍ଟଲ ରହିବ । ସେହିପରି ତିଗିରିଆ ଅଞ୍ଚଳରୁ ହସ୍ତତନ୍ତ ସାମଗ୍ରୀ, ଡାଲି ଓ ମସଲା, ଆଠଗଡ଼ ଅଞ୍ଚଳରୁ ଆଚାର, ଆଖୁ ଓ ବାଉଁଶ କାରିଗରୀ ସାମଗ୍ରୀ, ଡମପଡ଼ା ଅଞ୍ଚଳରୁ ଟେରାକୋଟା, ଆଖୁ ଓ ବାଉଁଶ କାରିଗରୀ ସାମଗ୍ରୀ, ବାଙ୍କୀ ଅଞ୍ଚଳରୁ ପଟ୍ଟଚିତ୍ର, ସାଲେପୁର ଅଞ୍ଚଳରୁ ତାରକସି କାମ ଇତ୍ୟାଦି ଷ୍ଟଲ ସ୍ଥାନ ପାଇବ ।
ଏହା ମଧ୍ୟ ପଢ଼ନ୍ତୁ:ଆସନ୍ତା ୮ରୁ ଐତିହାସିକ ବାଲିଯାତ୍ରା, ମହାନଦୀରେ ଝଲସିବ ରଙ୍ଗୀନ ଲେଜର ଲାଇଟ
ଏନେଇ ଓରମାସର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, " କଟକି ସାମଗ୍ରୀ ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି । ବିଶେଷ କରି ରାଜ୍ୟ ବାହାର ତଥା ବିଦେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ପ୍ରୟାସ କରାଯାଇଛି ।" କଟକର ସମସ୍ତ ସାମଗ୍ରୀ ଯେପରି ସବୁ ଅଞ୍ଚଳରେ ପହଞ୍ଚି ପାରିବ ତାକୁ ନଜରରେ ପ୍ରଥମ ଥର ଓରମାସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରାରେ ଲୋକେ ଯେପରି କଟକି ସାମଗ୍ରୀ ପ୍ରତି ଆକୃଷ୍ଟ ହେବେ ସେନେଇ ପ୍ରଚାର ପ୍ରସାର କରାଯିବ ବୋଲି ସୂଚନା ଦେଇଛନ୍ତି ଓରମାସର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ରାଉତ ।
ସୂଚନା ଥାଉକି, ଆସନ୍ତା 8 ତାରିଖରୁ କଟକରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଦୁଇ ବର୍ଷର ବ୍ୟବଧାନ ପରେ ଏଥର ବାଲିଯାତ୍ରା ଆୟୋଜନ ହେଉଥିବାରୁ ବେଶ ଆକର୍ଷଣୀୟ କରିବାକୁ ଲାଗି ପଡିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିସହ ଦର୍ଶକ ମାନଙ୍କ ଆକର୍ଷଣ ପାଇଁ ଏଥର ମହାନଦୀରେ ଝଲସିବ ରଙ୍ଗୀନ ଲେଜର ଲାଇଟ । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାର ମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଥିସହ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ ।
ଇଟିଭି ଭାରତ, କଟକ