କଟକ: ଦେଶର ପ୍ରଥମ ନାଗରିକଙ୍କୁ ଓଡ଼ିଶାରେ ପୁଣି ଅସମ୍ମାନ ! କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଥିବ କେମିତି ଏବଂ କିପରି ଅସମ୍ମାନ ? ଏହା କିପରି ସମ୍ଭବ ? କାହାର ସାହସ ହେବ ତାହା ପୁଣି ଦେଶର ପ୍ରଥମ ନାଗରିକଙ୍କୁ ଅସମ୍ମାନ କରିବ ? ତେବେ ଏହା କୌଣସି ବ୍ୟକ୍ତିଙ୍କ ଦ୍ଵାରା ଅସମ୍ମାନ କରାଯାଇନାହିଁ । ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଉପରେ ଜରିପାଲ ଟାଣି ତଳେ ମହାମହିମ ରାଷ୍ଟ୍ରପତିଙ୍କୁ ବସାଇବା, ଇଏ କି ପ୍ରକାର ସମ୍ମାନ ! ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି ।
ରାଷ୍ଟ୍ରପତି କଟକ ଗସ୍ତରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରଥମେ କଟକଚଣ୍ଡୀ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିବାପରେ ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟ ଯାଇଥିଲେ । ଏହାପରେ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ହାଇକୋର୍ଟର ମ୍ୟୁଜିୟମ ଏବଂ ପରେ ହାଇକୋର୍ଟର ପୁରୁଣା ବିଲ୍ଡିଂରେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ କଟକ ଏସ୍ସିବି ମେଡିକାଲ କଲେଜ ଏବଂ ଶେଷରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏ ତମାମ କାର୍ଯ୍ୟକ୍ରମ ମଧ୍ୟରେ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେଠାରେ ଯଦିଓ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଶେଷ ହୋଇଛି, ମାତ୍ର ସେଠାରେ ଅବ୍ୟବସ୍ଥାର ଚିତ୍ର କ୍ୟାମେରାରେ କଏଦ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ; ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ କହିଲେ ରାଷ୍ଟ୍ରପତି