କଟକ: ଫେସବୁକରେ କାହାକୁ ପ୍ରେମ କରୁଛନ୍ତି କି । ତେବେ ହୋଇଯାଆନ୍ତୁ ସାବଧାନ ! ନଚେତ୍ କେତେବେଳେ ଆପଣ ଫସିଯିବେ ତାହା ନିଜେ ବି ଜାଣି ପାରିବେନି । ବର୍ତ୍ତମାନ ସମାଜରେ ଅନେକ ଯୁବକ ଯୁବତୀ ଫେସବୁକ ଉପରେ ଅଧିକ ବିଶ୍ୱାସ କରିଥାନ୍ତି । ଆଉ ପରେ ସବୁ କିଛି ହରାଇବାକୁ ପଡିଥାଏ । ଏକଥା ବାରମ୍ବାର କୁହାଯାଉଥିଲେ ବି ଯୁବପିଢ଼ି ସଚେତନ ହେଉନାହାନ୍ତି । ଯାହାର କୁପ୍ରଭାବ ଏବେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି । ଯେତେବେଳେ ନେଡି ଗୁଡ଼ କହୁଣିକୁ ବୋହିଯାଏ, ସେତେବେଳେ ଅଭିଯୋଗ କରୁଛନ୍ତି ଯୁବକ ଯୁବତୀ । ଏପରି କିଛି ଘଟଣା ଘଟିଛି କଟକର ଜଣେ ଯୁବତୀଙ୍କ କ୍ଷେତ୍ରରେ ।
ଏହି ଅଭିଯୋଗର ସତ୍ୟାସତ୍ୟକୁ ନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ । ଯଦିଓ ଏପରି ଫସିଥିବା ଯୁବତୀ ଜଣକ ଥାନାରେ ଉପସ୍ଥିତ ହୋଇ ଅଭିଯୋଗ କରିନାହାନ୍ତି, ତେବେ ସ୍ପିଡ଼ ପୋଷ୍ଟ ଜରିଆରେ ନିଜର ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଯୁବତୀ ଜଣକ ଅଭିଯୋଗ କରିଥିଲେ ବି ତାଙ୍କର କୌଣସି ଠିକଣା ଦେଇନାହାନ୍ତି କି ନିଜର ଫୋନ ନମ୍ବର ସଠିକ ଦେଇନାହାନ୍ତି । ଯେଉଁଥିପାଇଁ ତଦନ୍ତରେ ସମସ୍ୟା ସୃଷ୍ଟି ହେଉଥିବା କଟକ ଡିସିପି କହିଛନ୍ତି ।
ଏମିତି ଫସିଥିଲେ ଯୁବତୀ:
ଫେସବୁକରୁ ପ୍ରଥମେ ପରିଚୟ ଆରମ୍ଭ ହେଲା । ସମ୍ପର୍କ ବି ବଢ଼ିଲା । ଉଭୟ ପରସ୍ପରକୁ ନିଜର ଅନ୍ତରଙ୍ଗ ଫଟୋ ଓ ଭିଡିଓ ପଠାଇବା ଆରମ୍ଭ କରିଦେଲେ । ତା' ପରେ ଏହି ଅନ୍ତରଙ୍ଗ ଫଟୋ, ଭିଡ଼ିଓକୁ ଅସ୍ତ୍ର କରି ବ୍ଲାକମେଲ କରିବା ଆରମ୍ଭ କଲା ଯୁବକ । ଶେଷରେ ବାରମ୍ବାର ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇ ଜୀବନ ବଞ୍ଚାଇ ପଳାଇ ଆସିଲେ ଯୁବତୀ । କଟକ ସହରର ଜଣେ ଯୁବତୀଙ୍କ ସହିତ ଘଟିଛି ଏଭଳି ଅମାନୁଷିକ ଘଟଣା । ବିହାରର ପାଟନାରେ ଏକ ଘରେ ତାଙ୍କୁ ମାଡ଼ ମାରିବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ । ସେ ସ୍ପିଡ଼ ପୋଷ୍ଟ କରି କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ଗୁରୁତ୍ୱ ଦେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।