କଟକ: ସହରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ନକଲି ଖାଦ୍ୟ ପ୍ରସ୍ତୁତକାରୀ କାରଖାନା । ଗତ କିଛି ମାସ ମଧ୍ୟରେ କମିଶନରେଟ ପୋଲିସର ଘନ ଘନ ଚଢ଼ାଉ ପରେ ଏହି କମ୍ପାନୀଗୁଡିକର ପର୍ଦ୍ଦାଫାସ ହୋଇପାରିଛି । ଶୁକ୍ରବାର କଟକ କଂଗ୍ରେସ ପକ୍ଷରୁ ଏହି ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
କଟକ ଅପମିଶ୍ରିତ କାରଖାନାର ଉତ୍ପତ୍ତିସ୍ଥଳ ଭାବେ ବର୍ତ୍ତମାନ ପରିଗଣିତ ହେବାରେ ଲାଗିଛି । କାରଣ ଗତ କିଛି ମାସ ଧରି ସହରର ବିଭିନ୍ନ ଅଞ୍ଚଳରୁ ନକଲି ତେଲ, ହଳଦୀ, ଲଙ୍କାଗୁଣ୍ଡ ଆଦି କାରଖାନା ପୋଲିସ ଠାବ କରିଛି । ତେବେ ଏତେ ମାତ୍ରାରେ ନକଲି କାରଖାନା ସହରରେ ଗଢି ଉଠିଥିବା ଯୋଗୁଁ କଟକ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି । ନଗର କଂଗ୍ରେସ ଅଭିଯୋଗ କରିଛି କି ହଜାର ବର୍ଷର ଐତିହାସିକ ସହର କଟକରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ତେଲ ମସଲାର ଭେଜାଲ କରାଯାଇ ବିକ୍ରି କରାଯାଉଛି ।