କଟକ:ମାତୃଭାଷା ପରେ ଆଜି ଥିଲା ଇଂରାଜୀ ପରୀକ୍ଷା । ପରୀକ୍ଷାର ଦ୍ବିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କଟକରେ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ଇଂରାଜୀ ପରୀକ୍ଷା । ବର୍ତ୍ତମାନ ସୁଦ୍ଧା ପରୀକ୍ଷା ପରିଚାଳନାକୁ ନେଇ କୌଣସି ଅଭିଯୋଗ ଆସିନାହିଁ । ଆଜି ଦ୍ବିତୀୟ ଦିନ ପରୀକ୍ଷା ଇଂରାଜୀ ବିଷୟ ଥିବାରୁ କପି ରୋକିବାକୁ ବିଭିନ୍ନ ସ୍ଥାନରେ ସ୍କ୍ବାର୍ଡ ଚେକିଂ କରିଥିଲେ। ଏହି ଅବସରରେ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟିନୀ ପରୀକ୍ଷା କେନ୍ଦ୍ର ବୁଲିଥିଲେ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ପରୀକ୍ଷା କେନ୍ଦ୍ର ଗସ୍ତ କରି ପରୀକ୍ଷାର ସ୍ଥିତି ଯାଞ୍ଚ କରିଥିଲେ।
ବିନା ଚାପରେ ପରୀକ୍ଷା ଦେବାକୁ ପରାମର୍ଶ:କଟକ ଜିଲ୍ଲାର ୨୮ ହଜାର ୮୫୪ ଜଣ ପରୀକ୍ଷାର୍ଥୀ,୧୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ତେବେ ପରୀକ୍ଷା ସମୟରେ ବିନା ଚାପରେ ପରୀକ୍ଷା ଦେବାକୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି କଟକ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଚାଲିଥିବା ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଆଜି ଇଂରାଜୀ ପରୀକ୍ଷା ବେଶ ଭଲ ହୋଇଥିବା ପରୀକ୍ଷା ପରେ ପରୀକ୍ଷାର୍ଥୀ ମାନେ କହିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଉତ୍ତର ସାରିଥିବା ପରୀକ୍ଷାର୍ଥୀ ମାନେ କହିଛନ୍ତି ।
ଚଳିତ ମାସ ୧୭ ତାରିଖରେ ଶେଷ ହେବ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲଫ କରିଥିବା ବେଳେ, ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ବୋର୍ଡ଼ ସଭାପତି ରାମାଶିଷ ହାଜେରା ସୂଚନା ଦେଇଛନ୍ତି । କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।