କଟକ: ସିଏମ୍ସି ମେୟର ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ଯୁଦ୍ଧ । ପ୍ରାୟ ଶହେ କୋଟି ଟଙ୍କା ବ୍ୟୟ ଅଟକଳରେ ସହରରେ ଆରମ୍ଭ ହେବାକୁ ଥିବା ଉନ୍ନତିମୂଳକ ପ୍ରକଳ୍ପକୁ ଟେଣ୍ଡର ବଦଳରେ କର୍ପୋରେସନ ଜରିଆରେ କରାଯାଉଥିବାରୁ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ନେତା । ବିଶେଷ କରି ଏହି ପ୍ରକଳ୍ପ ଗୁଡ଼ିକର ଯଥାର୍ଥତା ବାବଦରେ ମୁଖ୍ୟ ଶାସନ ସଚିବଙ୍କୁ ମୋକିମ ଚିଠି ଲେଖିବା ପରେ ଉଭୟଙ୍କ ଭିତରେ ତିକ୍ତତା ବୃଦ୍ଧି ପାଇଛି । ସମସ୍ତ କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରୀ ନିୟନ୍ତ୍ରଣାଧିନ ସଂସ୍ଥା ଗୁଡ଼ିକ ଦ୍ବାରା କରାଯାଉଛି । ତେଣୁ ପ୍ରକଳ୍ପ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ କରାଯାଉଥିବା ମେୟର କହିଥିଲେ । ସେପଟେ ଏହାର ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ ।
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ଦୁର୍ନୀତି କରିବା ପାଇଁ ହିଁ ଟେଣ୍ଡର ବଦଳରେ କର୍ପୋରସନ ଗୁଡ଼ିକ ଦ୍ବାରା କାମ କରାଯାଉଛି । ଏହି ଦୁର୍ନୀତିରେ ମେୟରଙ୍କ ପିସି ବା କମିସନ ସାମିଲ ରହିଛି ।" କେବଳ ସେତିକି ନୁହେଁ, 'ଠାକୁର ଘରେ କିଏ, ନା କଦଳୀ ଖାଉଛି ମୁଁ' କହି ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ମୋକିମ । ତେବେ ଆଗକୁ ଏହାର ପର୍ଦ୍ଦାଫାସ୍ କରାଯିବ ବୋଲି ମଧ୍ୟ ମୋକିମ କହିଛନ୍ତି । ପୂର୍ବରୁ ୧୫୫ କୋଟି ଟଙ୍କା ଅଟକଳର ୭୨ଟି ପ୍ରକଳ୍ପକୁ ବିନା ଟେଣ୍ଡରରେ ସରକାରୀ ଠିକା ସଂସ୍ଥା ଗୁଡିକୁ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ । ଏହାର ଜବାବରେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଅବାସ୍ତବିକ ଓ ତଥ୍ୟ ବିହୀନ ବୋଲି କହିଥିଲେ କଟକ ମେୟର ସୁବାସ ସିଂ ।