ଓଡିଶା

odisha

ETV Bharat / state

ଆସୁଛି ବର୍ଷା ଋତୁ, ଜଳବନ୍ଦୀ ସମସ୍ୟା ଓ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସଜାଗ କଟକ - CMC

ବର୍ଷା ପୂର୍ବରୁ ଜଳବନ୍ଦୀ ସମସ୍ୟାର ସଫଳ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

ବାତ୍ୟା ବନ୍ୟା ପୂର୍ବରୁ ସଜାଗ କଟକ
ବାତ୍ୟା ବନ୍ୟା ପୂର୍ବରୁ ସଜାଗ କଟକ

By

Published : Jun 18, 2023, 10:21 PM IST

Updated : Jun 18, 2023, 10:30 PM IST

ବାତ୍ୟା ବନ୍ୟା ପୂର୍ବରୁ ସଜାଗ କଟକ

କଟକ: ବାତ୍ୟା ବନ୍ୟା ପୂର୍ବରୁ ସଜାଗ ରହିବାକୁ କଟକରେ ପ୍ରସ୍ତୁତି ଆରମ୍ଭ ହୋଇଛି । ମୌସୁମୀର ଆଗମନ ପରେ ବର୍ଷା ହେବାକୁ ଥିବାବେଳେ ଏହି ସମୟରେ କଟକରେ ଜଳବନ୍ଦୀ ସମସ୍ୟା ଉପୁଜିଥାଏ । ତେବେ ଏହି ଜଳବନ୍ଦୀ ସମସ୍ୟା ଓ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସିଏମସି, ଫାୟାର, କମିଶନରେଟ ପୋଲିସ, ୱାଟକୋ ଏବଂ ଅନ୍ୟ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରି ନିଜର ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ରଖିଥିଲେ । ତେବେ ପ୍ରତ୍ୟେକ ବର୍ଷ ମୌସୁମୀ ସମୟରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସାମ୍ନା କରିଥାଏ ଓଡ଼ିଶା । ଏହାରି ଭିତରେ କଟକ ଜିଲ୍ଲା ମଧ୍ୟ ବ୍ୟାପକ କ୍ଷତି ସହୁଥିବାର ନଜିର ରହିଛି ।

ଗତ ବର୍ଷ ମଧ୍ୟ କଟକରେ ବନ୍ୟା ସୃଷ୍ଟି ହୋଇଥିବାବେଳେ ଅନେକ ବ୍ଲକ ପାଣି ଘେରରେ ରହିଥିଲା। ଜିଲ୍ଲାବାସୀଙ୍କୁ ବ୍ୟାପକ କ୍ଷୟକ୍ଷତି ମଧ୍ୟ ସାମ୍ନାକୁ ଆସିଲା । ତେବେ ଏପରି ସ୍ଥଳେ ଏହି ପ୍ରାକୃତିକ ଦୁର୍ବପାକକୁ କିଭଳି ସଠିକ ମୁକାବିଲା କରାଯାଇପାରିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ସଫଳ କାର୍ଯ୍ୟକ୍ଷମ କରିବା ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ । ଏନେଇ ଆଜି କଟକ ଜିଲ୍ଲା ପ୍ରଶାସନ ତରଫରୁ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପ୍ରଣାଳୀର ସମୀକ୍ଷା କରାଯାଇଥିଲା । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଡଃ.ଭବାନୀ ଶଙ୍କର ଚୟିନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍(ରାଜସ୍ୱ), ରାଜ୍ୟ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ତେବେ ବିପର୍ଯ୍ୟୟ ମୁକାବିଲାରେ ଜଡିତ ବିଭିନ୍ନ ହିତାଧିକାରୀ ଏବଂ ଏଜେନ୍ସିମାନଙ୍କ ମଧ୍ୟରେ ସମନ୍ୱୟ ତଥା ସହଯୋଗ କିପରି ରକ୍ଷା କରି ହେବ ସେନେଇ ଆଲୋଚନା ହୋଇଥିଲା । ଏହାସହ ବିଶେଷକରି ଘୂର୍ଣ୍ଣିବଳୟ ଏବଂ ବନ୍ୟା ପରିସ୍ଥିତି ସମୟରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ଭୂମିକା, ଦାୟିତ୍ୱ, ଉତ୍ସ ଏବଂ ସାମର୍ଥ୍ୟକୁ କିପରି ପ୍ରତିପାଦନ କରିବେ ସେସବୁକୁ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କଟକ ମହାନଗ ନିଗମ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ , ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ,ବନ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ଜଳସେଚନ, ଟିପିସିଓଡ଼ିଏଲ, ଡ୍ରେନେଜ, ବ୍ୟାରେଜ ଡିଭିଜନ, ଅଗ୍ନିଶମ ସେବା, ଖାଦ୍ୟ ସୁରକ୍ଷା, ୱାଟକୋ ପ୍ରମୁଖ ଯୋଗଦେଇ ବିପର୍ଯ୍ୟୟ ସମୟରେ କିପରି ସଫଳତାର ସହ ପରିଚାଳନା କରି ଦୃଢ଼ ମୁକାବିଲା କରିବା ଦିଗରେ ନିଜ ନିଜର ପକ୍ଷ ରଖିଥିଲେ । ତେବେ ବିପର୍ଯ୍ୟୟ ପୂର୍ବରୁ ସତର୍କତା କିପରି ଅବଲମ୍ବନ କରାଯିବ ସେନେଇ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପହଞ୍ଚାଇବା ସହ ପଞ୍ଚାୟତ ସ୍ତରରେ ମଧ୍ୟ ସଚେତନତା କରାଯିବା ନେଇ ଲକ୍ଷ୍ୟ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Jun 18, 2023, 10:30 PM IST

ABOUT THE AUTHOR

...view details