ଓଡିଶା

odisha

ETV Bharat / state

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ହତ୍ୟା ଷଡ଼ଯନ୍ତ୍ର ନଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ - ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ । ଏମାନଙ୍କୁ ହତ୍ୟା କରାଯାଇନାହିଁ । ସଂଗୃହିତ ତଥ୍ୟ, ପ୍ରମାଣ ଓ ସାକ୍ଷୀଙ୍କ ବୟାନରୁ ଉଭୟଙ୍କ ମୃତ୍ୟୁ ପଛରେ ବିଦେଶୀ ଶକ୍ତି କିମ୍ବା କୌଣସି ଷଡ଼ଯନ୍ତ୍ର ନଥିବା କଥା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢ଼ନ୍ତୁ

ହତ୍ୟା ଷଡ଼ଯନ୍ତ୍ର ନଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ
ହତ୍ୟା ଷଡ଼ଯନ୍ତ୍ର ନଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

By

Published : Jan 2, 2023, 7:57 PM IST

କଟକ: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପଷ୍ଟୀକରଣ । ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାବେଲଙ୍କୁ ହତ୍ୟା କରାଯାଇନାହିଁ । ଏଭଳି କିଛି ତଥ୍ୟ ଓଡିଶା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ସଂଗୃହିତ ତଥ୍ୟ, ପ୍ରମାଣ ଓ ସାକ୍ଷୀଙ୍କ ବୟାନରୁ ଉଭୟଙ୍କ ମୃତ୍ୟୁ ପଛରେ ବିଦେଶୀ ଶକ୍ତି କିମ୍ବା କୌଣସି ଷଡ଼ଯନ୍ତ୍ର ନଥିବା କଥା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଅଟକ ରହିଥିବା ଋଷୀୟ ଦମ୍ପତି ପାନା ସାଙ୍କୋ ଓ ଟୁରଭୋଙ୍କୁ ମଧ୍ୟ ଏକ ପ୍ରକାର କ୍ଲିନ୍‌ଚିଟ ଦେଇଛି ତଦନ୍ତକାରୀ ସଂସ୍ଥା ।

କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଉଭୟଙ୍କ ମୃତ୍ୟୁ ଅପମୃତ୍ୟୁ ତରିକାଭୁକ୍ତ । ଏହି ମୃତ୍ୟୁ ସହିତ କୌଣସି ଅପରାଧିକ ଦିଗ ଜଡିତ ନୁହେଁ । ତେବେ ଅଧିକ ଅନୁସନ୍ଧାନ ପାଇଁ ଉଭୟ ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାବେଲଙ୍କ ଚିତାଭସ୍ମରୁ ସଂଗୃହିତ ହୋଇଥିବା ହାଡ ଓ ପାଉଁଶକୁ ପରୀକ୍ଷା ପାଇଁ ରାଜ୍ୟ ବାହାରେ କୌଣସି କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଯିବ । ବିଶେଷ କରି ଭ୍ଲାଦିମିର ବିଦାନୋଭଙ୍କ ଭିସେରା ସଂରକ୍ଷିତ ଥିବାରୁ ତାହାକୁ ଯାଞ୍ଚ ପାଇଁ ଦିଲ୍ଲୀ ଏମ୍ସକୁ ପଠାଯିବ ବୋଲି ଜଣାପଡ଼ିଛି । ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାବେଲଙ୍କୁ କୌଣସି ବିଷାକ୍ତ ପଦାର୍ଥ ଦିଆଯାଇଥିଲା କି ନାହିଁ ତାହାର ଯାଞ୍ଚ ପାଇଁ ଏହି ସମସ୍ତ ପରୀକ୍ଷା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାବେଲଙ୍କ ସହ ରାୟଗଡ଼ା ଆସିଥିବା ଋଷୀୟ ଦମ୍ପତିଙ୍କୁ ଏକ ପ୍ରକାର କ୍ଲିନ୍‌ଚିଟ ଦେଇଛି ତଦନ୍ତକାରୀ ସଂସ୍ଥା । ଉଭୟଙ୍କୁ ଲଗାତାର ୫ ଦିନ ଧରି ଜେରା କରିବା ସହ ଦୁଇ ସହଯାତ୍ରୀଙ୍କ ମୃତ୍ୟୁ ପଛରେ ଏହି ପତିପତ୍ନୀ ପାନା ସାଙ୍କୋ ଓ ଟୁରଭୋଙ୍କ କୌଣସି ଭୂମିକା ନଥିବା ତଦନ୍ତରୁ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ଫଳସ୍ବରୂପ ଉଭୟଙ୍କ ବୟାନ ରେକର୍ଡ କରିବା ସହିତ ସେହି ସମୟର ଭିଡିଓଗ୍ରାଫି କରି ସେମାନଙ୍କୁ ନିଜ ହେଫାଜତରୁ ମୁକ୍ତ କରିଛି ତଦନ୍ତକାରୀ ଟିମ ।

ପାନା ସାଙ୍କୋ ଓ ଟୁରଭୋ ଓଡ଼ିଶା ଭିତରେ ଥିବାବେଳେ, ପ୍ରତିଦିନ ନିଜର ଲୋକେସନର ତଥ୍ୟକୁ କ୍ରାଇମବ୍ରାଞ୍ଚ ସହ ସେୟାର କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଉଭୟ ପତିପତ୍ନୀଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାଟ ଫିଟିଥିଲେ ମଧ୍ୟ ସେମାନଙ୍କ ରିଟର୍ଣ୍ଣ ଟିକେଟ ଆସନ୍ତା ୬ ତାରିଖ ପାଇଁ ବୁକ ଥିବାରୁ ଭାରତ ଛାଡ଼ିବା ପୂର୍ବଦିନ ଉଭୟ କ୍ରାଇମବାଞ୍ଚ ସହିତ ଯୋଗାଯୋଗ କରିବେ । କ୍ରାଇମବ୍ରାଞ୍ଚର ଅନୁମତି ମଳିବା ପରେ ଯାଇ ଉଭୟ ଦେଶ ଛାଡ଼ି ପାରିବେ ବୋଲି ସର୍ତ୍ତ ରଖାଯାଇଛି ।

ସେପଟେ ଦୁଇ ମୃତକଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାବେଲ ପରସ୍ପର ଘନିଷ୍ଠ ବନ୍ଧୁ ଥିଲେ । ଉଭୟଙ୍କ ବନ୍ଧୁତା ପ୍ରାୟ ୪୦ ବର୍ଷ ପୁରୁଣା ବୋଲି ତଦନ୍ତରୁ ଜଣାପଡ଼ିଛି । ଏପରିକି ମୃତକଙ୍କ ପରିବାର ଲୋକେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କ୍ରାଇମବ୍ରାଞ୍ଚରେ ହାଜର ହୋଇ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ଏହା ବ୍ୟତୀତ ଭ୍ଲାଦିମିର ବିଦାନୋଭଙ୍କ ପୁଅ ଓ ଆଣ୍ଟୋଭ ପାବେଲଙ୍କ ଝିଅ ସେମାନଙ୍କ ମୃତଦେହର ଅନ୍ତିମ ସଂସ୍କାର କରି ସେମାନଙ୍କ ଚିତାଭସ୍ମକୁ ଋଷ ପଠାଇବା ପାଇଁ ଅନୁରୋଧ କରିଥିବା କଥା ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details