ଓଡିଶା

odisha

By

Published : Feb 16, 2023, 9:20 PM IST

ETV Bharat / state

ରାଜ୍ୟ ସମବାୟ ବ୍ୟାଙ୍କ ଏମଡି ନିଯୁକ୍ତି ମାମଲା: ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ

ହାଇକୋର୍ଟରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ମାମଲା । ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଶତପଥୀଙ୍କ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ଅଧିକ ପଢନ୍ତୁ

ରାଜ୍ୟ ସମବାୟ ବ୍ୟାଙ୍କ ଏମଡି ନିଯୁକ୍ତି ମାମଲା: ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ
ରାଜ୍ୟ ସମବାୟ ବ୍ୟାଙ୍କ ଏମଡି ନିଯୁକ୍ତି ମାମଲା: ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ

କଟକ: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏଥିସହ ତୁରନ୍ତ ନିଜ ଦାୟିତ୍ୱ ସମବାୟ ନିବନ୍ଧକଙ୍କୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ଜାନୁଆରୀ ୨୫ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା । ହାଇକୋର୍ଟ ଗୋପବନ୍ଧୁଙ୍କ ନିଯୁକ୍ତି ବେଆଇନ ବୋଲି ରାୟ ଶୁଣାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଜାନୁଆରୀ ୨୫ ତାରିଖରେ ତାଙ୍କୁ ପୁନଃନିଯୁକ୍ତି ଦେବାକୁ ସରକାର ବିଜ୍ଞପ୍ତି ଜାରି କରିଥିଲେ । ଏହି ଘଟଣାକୁ କୋର୍ଟ ଅତି ଗମ୍ଭୀରତାର ସହ ନେଇଥିଲେ । ଏହି ପ୍ରସଙ୍ଗରେ ଆଜି ଶୁଣାଣି କରି ରାଜ୍ୟ ସରକାରଙ୍କ ସମବାୟ ବ୍ୟାଙ୍କ ଏବଂ ଅନ୍ୟମାନଙ୍କୁ ଜବାବ ଦେବାକୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ ।


ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ନିଯୁକ୍ତି ମାମଲାରେ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ ଓଡିଶା ହାଇକୋର୍ଟ । ଗୋପବନ୍ଧୁ ଶତପଥୀଙ୍କ ପୁନଃନିଯୁକ୍ତିକୁ ରଦ୍ଦ କରିଥିଲେ ହାଇକୋର୍ଟ । ଗତବର୍ଷ (୨୦୨୨) ମାର୍ଚ୍ଚ ୨ ତାରିଖରେ ଗୋପବନ୍ଧୁଙ୍କୁ ପରିଚାଳନା ନିର୍ଦ୍ଦେଶକ (ଏମଡି) ଭାବେ ପୁନଃନିଯୁକ୍ତ କରିଥିଲେ ରାଜ୍ୟ ସରକାର । କିନ୍ତୁ ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁମତି ନଥିଲା । ଏଭଳି ନିଯୁକ୍ତି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇଥିଲେ କୋର୍ଟ । ଏହାକୁ ସୁନ୍ଦରଗଡ଼ର ବେଣୁମାଧବ ତ୍ରିପାଠୀ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । 1949 ବ୍ୟାଙ୍କିଂ ରେଗୁଲେସନ ଅଧିନିୟମ ଓ 1962 ଓଡିଶା କୋପରେଟିଭ୍‌ ସୋସାଇଟ ଆକ୍ଟ ଅନୁସାରେ ଏପରି ନିଷ୍ପତ୍ତି ପୂର୍ବରୁ ରିଜର୍ଭ ବ୍ୟାଙ୍କ ଓ କୋପରେଟିଭ ସୋସାଇଟ ରେଜିଷ୍ଟ୍ରାରଙ୍କ ଅନୁମୋଦନ ନେବା ବାଧ୍ୟତାମୂଳକ ରହିଛି । ଯାହା ଏହି କ୍ଷେତ୍ରରେ ହୋଇନାହିଁ ବୋଲି ହାଇକୋର୍ଟ ଦର୍ଶାଇବା ସହ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ ।

ଗତବର୍ଷ (2022) ମାର୍ଚ୍ଚ 1 ରେ ଗୋପବନ୍ଧୁଙ୍କୁ ଦାୟିତ୍ବରେ ପୁନଃନିଯୁକ୍ତ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଥିଲା । ଏହି ଅବଧି ଚଳିତବର୍ଷ ଫେବୃଆରୀ 28 ତାରିଖରେ ଶେଷ ହେବାକୁ ଯାଉଛି । ଏହି ପ୍ରସଙ୍ଗରେ ଗତବର୍ଷ ଏପ୍ରିଲ 7 ତାରିଖରେ ସୁନ୍ଦରଗଡ଼ର ବେଣୁମାଧବ ତ୍ରିପାଠୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ । ପୁନଃନିଯୁକ୍ତି ନିଷ୍ପତ୍ତିରେ ସଠିକ ପ୍ରକ୍ରିୟା ଅନୁସରଣ କରାଯାଇନଥିବା ମାମଲାରେ ଦର୍ଶାଇଥିଲେ ଆବେଦନକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details