କଟକ:୧୧ ବର୍ଷୀୟ ନାବାଳିକାକୁ ହତ୍ୟା ଉଦ୍ୟମ ଓ ଅସଦାଚରଣ କରିବା ମାମଲାରେ ରାୟ ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଦେଇ ନପାରିଲେ ଅର୍ଥାତ ଅନାଦେୟ ହେଲେ ୨ ବର୍ଷ ୯ ମାସ ଅଧିକ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ମିଟୁ ଓରଫ କାଳିଆ ଦେହୁରୀକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ଘଟଣା ଅନୁସାରେ, ୧୦ ସେପ୍ଟେମ୍ବର ୨୦୧୭ ମସିହାରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ପ୍ରତ୍ୟେକ ଦିନ ପରି ସେଦିନ ମଧ୍ୟ ନାବାଳିକା ଜଣକ ପାଠ ପଢିବା ପାଇଁ ସ୍କୁଲକୁ ଯାଇଥିଲେ । ସ୍କୁଲରେ ପାଠ ପଢା ସରିବା ପରେ ଅପରାହ୍ନ ପ୍ରାୟ ୪ଟା ସମୟରେ ଘରକୁ ଫେରୁଥାଏ । ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ତାକୁ ଜୋର ଜବରଦସ୍ତି ଉଠେଇ ନେଇଥିଲା । ନାବାଳିକା ବି ହଠାତ କିଛି ବୁଝି ପାରିନଥିଲେ । ସେ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ର କାଢି ତା ବେକକୁ କାଟିଥିଲା ।
ବେକରୁ ରକ୍ତ ବାହାରିବାରୁ ନାବାଳିକା ଜଣକ ଭୟଭୀତ ହୋଇ ଚିତ୍କାର କରିଥଲା । କିନ୍ତୁ ନିଛାଟିଆ ସ୍ଥାନ ରହିଥିବାରୁ ସେଠାରେ ସାହାଯ୍ୟ କରିବା ପାଇଁ କେହି ନଥିଲେ । ଅତି କ୍ଷତାକ୍ତ ଅବସ୍ଥାରେ ନାବାଳିକା ଜଣକ ସେହିଠାରେ ପଡି ମୃତ୍ୟୁ ସହ ସଂଗ୍ରାମ କରିଥିଲେ । କିଛି ଲୋକ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।