କଟକ:ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏଥିସହ ମା' କାଳୀଙ୍କ ପୂଜା । ଦୀର୍ଘ ଦୁଇ ବର୍ଷ ପରେ କଟକରେ ଧୁମଧାମରେ ବିନା କଟକଣାରେ ପାଳିତ ହେବ କାଳୀପୂଜା । ଏନେଇ ସବୁଠି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । କାଳୀପୂଜା ପାଇଁ ଉତ୍ସବ ମୁଖର ସିଲଭର ସିଟି କଟକ । ଚଳିତ ବର୍ଷ ସହରର 90ଟି ମଣ୍ଡପରେ ମା'ଙ୍କୁ ପୂଜାର୍ଚ୍ଚନା କରାଯିବ । ପୂଜାକୁ ସୁରୁଖୁରୁରେ ଶେଷ କରିବା ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ପୂଜା ସମୟରେ ସହରରେ 50 ପ୍ଲାଟୁନ ପୋଲିସ ଫୋର୍ସ ସହ 6 ଜଣ ଅତିରିକ୍ତ ଡିସିପି, 300 ପୋଲିସ ଅଫିସର ମୁତୟନ ରହିବେ । ପୂଜାଠୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ପୋଲିସ ନଜରରେ ରହିବ ପୂଜା । ଯେମିତି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ତାଉପରେ ଅଧିକ ଗୁରୁତ୍ବ ଦିଆଯିବ । ଏଥିପାଇଁ ସମସ୍ତ ମଣ୍ଡପ ନିକଟରେ ପୋଲିସ ଅଧିକାରୀ ମୁତୟନ ରହିବେ ।
ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ବସିଥିବା ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ବାଣ ଫୁଟାଇବା ପାଇଁ 8 ରୁ 10 ଟା ପର୍ଯ୍ୟନ୍ତ ସମୟ ରହିଛି । କୌଣସି ପ୍ରକାର ବିସ୍ଫୋରକ କିମ୍ବା ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବାକୁ ଅନୁମତି ଦିଆଯାଇନାହିଁ । ପୋଲିସ ପକ୍ଷରୁ ପାଟ୍ରୋଲିଂ କଡା କଡି କରାଯିବ । ତେବେ ଆସନ୍ତାକାଲି ମା'ଙ୍କ ପୂଜା ଆରମ୍ଭ ହୋଇ ଆସନ୍ତା 28ରେ ବିସର୍ଜନ ହେବ ।