କଟକ:କଟକ ଖାନନଗର ଶ୍ମଶାନରେ ନିର୍ମାଣଧିନ ଗ୍ୟାସ ଚୁଲା ପ୍ରୋଜେକ୍ଟର ସ୍ଥିତି ସମୀକ୍ଷା କଲେ ମେୟର । ସାଢ଼େ ତିନି କୋଟି ଟଙ୍କା ବ୍ୟୟ ଅଟକଳରେ ଗେଲ ଇଣ୍ଡିଆ ପକ୍ଷରୁ ନିର୍ମାଣ ଜାରି ରହିଥିବା ଏହି ପ୍ରୋଜେକ୍ଟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରୋଜେକ୍ଟରେ ଦୁଇଟି CNG ଗ୍ୟାସ ଚୁଲା ରହିଛି । ଏହି ଦୁଇଟି ଗ୍ୟାସ ଚୁଲାରେ ହେବ ମୃତଦେହ ଦାହ । କମ ଦାମ ଓ କମ ସମୟରେ ଏହି ଗ୍ୟାସ ଚୁଲା ସାହାଯ୍ୟରେ ଶୀଘ୍ର ଦାହ କାର୍ଯ୍ୟ ଶେଷ ହେବ । ଏନେଇ ଗେଲ ଇଣ୍ଡିଆ ପକ୍ଷରୁ ଖାନନଗରରେ ପ୍ରକଳ୍ପ କାମ ଜାରି ରହିଛି ।
ତେବେ ମୃତଦେହ ଦାହ ସହିତ ଏଥିରେ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି । ଏଠାରେ ଗାଧୋଇବା ଘର, ଶୌଚାଳୟ, ବିଶ୍ରାମଗାର ଇତ୍ୟାଦି ସୁବିଧା କରାଯାଇଛି । ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏଥିପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି । ତେବେ ଏହି ପ୍ରୋଜେକ୍ଟ ପୂର୍ବରୁ ବମ୍ବେ ,ଦିଲ୍ଲୀ, ବନାରସରେ ରହିଥିଲା । କଟକରେ ଏହା ହେବା ପରେ ନିଶ୍ଚୟ କଟକ ବିକାଶର ଦିଗ ମଜଭୁତ ହେବ ବୋଲି କହିଥିଲେ କଟକ ମେୟର ଓ ବିଧାୟକ । ତେବେ ପୂର୍ବରୁ ଖାନନଗର ଶ୍ମଶାନରେ ବିଦ୍ୟୁତ ଚୁଲା ରହିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ବାତ୍ୟା ସମୟରେ ତାହା ଭାଙ୍ଗି ଯାଇଥିଲା । ଯାହାକୁ ନେଇ ମୃତଦେହ ଦାହ କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ସହରବାସୀ । କିନ୍ତୁ ଏହି ଗ୍ୟାସ ଚୁଲାରେ କମ ସମୟରେ ଦାହ ହୋଇ ପାରିବ ବୋଲି ଗେଲ ଇଣ୍ଡିଆ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।