କଟକ: ଆଉ ଗୋଟିଏ ଦିନ ପରେ ଉଦଘାଟିତ ହେବ ଐତିହାସିକ ବାଲିଯାତ୍ରା । କଟକ ବାଲିଯାତ୍ରାକୁ ନେଇ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏଥର ବାଲିଯାତ୍ରା ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ହେଉଥିବାରୁ ଏହାର ପ୍ରଚାର ପ୍ରସାର ପାଇଁ ବାହାରିଛି ପ୍ରଜ୍ଞାପନ ଶୋଭାଯାତ୍ରା । ଏହା କଟକ, ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ବୁଲି ଲୋକଙ୍କୁ ବାଲିଯାତ୍ରା ଦେଖିବାକୁ ଆସିବା ପାଇଁ ସନ୍ଦେଶ ବାଣ୍ଟିବେ।
ତେବେ ଏଥର ବେଶ ଜାକଜମକରେ ହେଉଛି କଟକ ଐତିହାସିକ ବାଲିଯାତ୍ରା । ଉପର ଓ ତଳ ପଡିଆରେ ବଡବଡ ଷ୍ଟଲ୍ ସାଙ୍ଗକୁ ଭିନ୍ନଭିନ୍ନ ପ୍ରକାରର ଦୋଳି, ମୀନା ବଜାର, ଓରମାସ୍ ଷ୍ଟଲ୍ ଲାଗିଛି । ରାଜ୍ୟ ଭିତର ଓ ବାହାରୁ ବହୁ ବ୍ୟବସାୟୀ ନିଜ ସାମଗ୍ରୀ ଧରି ବାଲିଯାତ୍ରାକୁ ଆସୁଛନ୍ତି । ଏଥି ସହିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ହେବ । ଏଥିସହ ସୁସ୍ୱାଦୁ ଖାଦ୍ୟର ପସରା ଖୋଲିବ । ଆଉ ମେଳାର ପ୍ରଚାରପ୍ରସାର ପାଇଁ ବାଲିଯାତ୍ରା ପଡିଆରୁ ବାହାରିଛି ଏକ ସୁନ୍ଦର ପ୍ରଜ୍ଞାପନ ଶୋଭାଯାତ୍ରା । ପାରମ୍ପରିକ ଯୋଡି ଶଙ୍ଖ, ବନାଟି ସମର କଳା ସାଙ୍ଗକୁ ବାଲିଯାତ୍ରାର ଐତିହ୍ୟର ନିଦର୍ଶନ ଥିବା ଏକ ସୁନ୍ଦର ପ୍ରଜ୍ଞାପନ ମେଢ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ବୁଲି ବାଲିଯାତ୍ରାର ସନ୍ଦେଶ ଦେବ ।