କଟକ:ଅସନ୍ତାକାଲି ଲୋକାର୍ପିତ ହେବ ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲ । କଟକ ଖାନନଗର ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ଅତ୍ୟାଧୁନିକ ବସ୍ଷ୍ଟାଣ୍ଡକୁ ବିଧିବଦ୍ଧ ଭାବରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡରେ ରହିଛି ଅନେକ ସୁବିଧା ଯାହାକି ସମସ୍ତ ଯାତ୍ରୀ ଏହାଦ୍ୱାରା ଉପକୃତ ହେବେ। ଏହି ମେଗା ପ୍ରକଳ୍ପର ଉଦଘାଟନ ପାଇଁ ସିଡିଏ, ଜିଲ୍ଲା ପ୍ରଶାସନ, ସିଏମସି ପକ୍ଷରୁ ଆଜି ଚୂଡ଼ାନ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ତେବେ ନୂତନ ବସଷ୍ଟାଣ୍ଡରୁ ବସ୍ ଚଳାଚଳ ପାଇଁ ୩ଟି ରୁଟର ବ୍ୟବସ୍ଥା କରାଯାଇଛି । ସହରରେ ଟ୍ରାଫିକ ସମସ୍ୟା ଯେପରି ସୃଷ୍ଟି ନହୁଏ ସେନେଇ ପଦକ୍ଷେପ ବି ଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ରହିଛି ।
କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ କହିଛନ୍ତି, "ଏହା କଟକବାସୀଙ୍କ ପାଇଁ ଏକ ଗୌରବର କଥା । ରାଜ୍ୟ ପରିବହନ ଶିଳ୍ପରେ ଯୋଡ଼ିହେବାକୁ ଯାଉଛି ଏକ ନୂତନ ଅଧ୍ୟାୟ । ରାଜ୍ୟର ଅନ୍ୟତମ ମେଗା ପ୍ରକଳ୍ପ ନେତାଜୀ ବସ ଟର୍ମିନାଲକୁ ଆସନ୍ତାକାଲି ଠାରୁ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉତ୍ସର୍ଗ କରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସହରରେ ପ୍ରାୟ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।"