କଟକ:ସାରା ଦେଶ ଆଜି ପାଳୁଛି ସ୍ବାଧୀନତା ସଂଗ୍ରାମୀ ତଥା ଭାରତମାତାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ବୋଷଙ୍କ ୧୨୬ତମ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାରଠାରେ ଥିବା ତାଙ୍କ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମାଲ୍ୟାର୍ପଣ କରିବା ସହ ଏହି ମହାନ ବ୍ୟକ୍ତିତ୍ବଙ୍କ ସ୍ମୃତିଚାରଣ କରିଛନ୍ତି । ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନରେ ପ୍ରବଳ ଭିଡ ଲାଗି ରହିଛି ।
ବିଶେଷକରି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଆଦି ସବୁ ବର୍ଗର ଲୋକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥିଲା । ନେତାଜୀ ସଂଗ୍ରାହଳୟରେ ଆଜି ଉତ୍ସବର ମାହଲ ବାରି ହୋଇ ପଡୁଥିଲା । ଏହି ଅବସରରେ ବିଭିନ୍ନ ବୟସ ଓ ବର୍ଗର ଲୋକମାନେ ଏଠାକୁ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେହି ମହାନ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବର ସ୍ମୃତିଚାରଣ ମଧ୍ୟ କରିଥିଲେ । ଆଜି ନେତାଜୀ ଜୟନ୍ତୀ ଅବସରରେ ଜାନକୀନାଥ ଭବନ ବା ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟରେ ପ୍ରଦର୍ଶିତ ହୋଇଥିବା ଓ ନେତାଜୀଙ୍କ ଦ୍ବାରା ବ୍ୟବହୃତ ହେଉଥିବା ବିଭିନ୍ନ ବିରଳ ସାମଗ୍ରୀକୁ ଦେଖି ଅବିଭୁତ ହୋଇଥିଲେ ଲୋକେ ।
ଏହା ବି ପଢନ୍ତୁ-Netaji Subash Chandra Bose Jayanti: ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ
ସରକାରୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଜାନକୀନାଥ ଭବନରେ ପହଞ୍ଚି ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଦେଶ ମାତୃକାର ସେବା ପାଇଁ ନେତାଜୀ ଅବଦାନ ଓ ତାଙ୍କ ବଳିଦାନ ଚିର ଦିନ ଲାଗି ସ୍ମରଣୀୟ ବୋଲି କହିଥିଲେ । ଅନ୍ୟପଟେ ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ ଥିବାରୁ ଏହି ବୀର ସ୍ବାଧୀନତା ସେନାନୀଙ୍କ ସ୍ମୃତି ରକ୍ଷା ପାଇଁ ମଧ୍ୟ ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ମତ ରଖିଥିଲେ ରାଜ୍ୟପାଳ ।