କଟକ: ଶେଷ ହେଲା ଐତିହାସିକ ବାଲିଯାତ୍ରା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ । ମହାନଦୀକୂଳେ ଆଳତି ପରେ ବୈଷ୍ଣବ ପାଣି ମଞ୍ଚରେ ଐତିହାସିକ ବାଲିଯାତ୍ରାର ଗାଥା ବଖାଣିଲେ ରାଜ୍ୟପାଳ । ଚଳିତବର୍ଷ ବାଲିଯାତ୍ରାରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ବେଶ ଲାଭବାନ ହୋଇଛନ୍ତି ।
ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ତଥା ସାଂସ୍କୃତିକ ମେଳା ଏଥର ବିଭିନ୍ନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ବାଲିଯାତ୍ରାର ଇତିହାସ ପୃଷ୍ଠାରେ 'ଗିନିଜ ବୁକ ଅଫ ରେକର୍ଡ' ସାମିଲ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ବେଶ ଆଡ଼ମ୍ବର ସହକାରେ ବାଲିଯାତ୍ରା ଆୟୋଜନ ହୋଇଥିବାରୁ ଉଭୟ ବ୍ୟବସାୟୀ ଏବଂ ଦର୍ଶକ ଲାଭବାନ ହୋଇଛନ୍ତି । କୁହାଯାଉଛି ଯେ, 2019 ଅପେକ୍ଷା ଏବର୍ଷ ଦୁଇ ଗୁଣା ଲୋକ ବାଲିଯାତ୍ରା ବୁଲିଛନ୍ତି । ମହାନଦୀର ଗଡ଼ଗଡ଼ିଆ ପଠାରେ 10 ଦିନ ଧରି ଚାଲୁଥିବା ବାଲିଯାତ୍ରାର ଭରପୂର ମଜା ଉଠାଇଲେ ଦର୍ଶକ । ମନ ପସନ୍ଦ କିଣା ସାଙ୍ଗକୁ ଲୋକପ୍ରିୟ କଳାକାରଙ୍କ ପ୍ରଦର୍ଶନ ଦେଖଣାହାରିଙ୍କୁ ବାଲିଯାତ୍ରା ପଡ଼ିଆକୁ ଟାଣିଆଣିଥିଲା । ସ୍ବଚ୍ଛତା ଓ ସୁରକ୍ଷା ନେଇ କଟକ ଜିଲ୍ଲା ପ୍ରଶାସନ ବିଶେଷ ଭାବେ ଧ୍ୟାନ ଦେଇଥିଲା । ଶେଷ ଦିନରେ ବାଲିଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।