କଟକ: ସାଇକେଲ ଷ୍ଟାଣ୍ଡ ପାର୍କିଂ ଫି ଆଦାୟକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ। ଧବଳେଶ୍ବର ପୀଠରେ ସାଇକେଲ ଷ୍ଟାଣ୍ଡ ନିଲାମ ପ୍ରକ୍ରିୟାକୁ ନେଇ ମୁହାଁ-ମୁହିଁ ହୋଇଛନ୍ତି ଟାଙ୍ଗୀ ବ୍ଲକ କଖଡି ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମବାସୀ । ଗତ ୨୦୧୯ ମସିହା ଜୁନ1 ତାରିଖରେ ୨୫ ଲକ୍ଷ ଟଙ୍କା ସହ ଟେଣ୍ଡର ହାତେଇଥିଲେ ଏହି ଗ୍ରାମବାସୀ । ଯାହାର ଅବଧି ରହିଥିଲା ୨୦୨୦ ଜୁନ ୧ ତାରିଖ ପର୍ଯ୍ୟନ୍ତ ।
ପାର୍କିଂ ଫି ଆଦାୟକୁ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ଧବଳେଶ୍ବର ପୀଠରେ ବିବାଦ ଟେଣ୍ଡର ଅବଧି ପାଖାପାଖି ଆହୁରି ଆଠ ମାସ ରହିଛି । ତେଣୁ ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ ଗାଡି ପାର୍କିଂ ଫି ଆଦାୟ ଜାରି ରଖିଛନ୍ତି । ତେଣୁ ବିଦ୍ୟାଧରପୁର ଗ୍ରାମବାସୀ ପାର୍କିଂ ଫି ଆଦାୟ କରୁଥିବା ବେଳେ ସ୍ଥାନୀୟ ପାଇକେରାପୁର ଗ୍ରାମର ସରପଞ୍ଚଙ୍କ ସମେତ କିଛି ଯୁବକ ନିଲାମ ନେଇଥିବା ଗ୍ରାମର ଯବକଙ୍କୁ ପୋଲିସ ଉପସ୍ଥିତିରେ ମାଡ ମାରିଥିଲେ।
ଏପରିକି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ପୋଲିସ ଗାଡିକୁ ମଧ୍ୟ ଓଲଟାଇବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ବିଦ୍ୟାଧରପୁର ଗ୍ରାମବାସୀ ମଞ୍ଚେଶ୍ବର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବେଆଇନ ପାର୍କିଂ ଫି ଆଦାୟ କରୁଥିବା ପାଇକେରାପୁର ଗ୍ରାମବାସୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଅଭିଯୋଗ କରିଛନ୍ତି।
ମାଡ ମାରିଥିବା ସରପଞ୍ଚ ଓ ତାଙ୍କ ସହଯୋଗୀ ମାନଙ୍କୁ ଗିରଫ କରିବାକୁ ଜିଦ୍ କରିଥିଲେ ବିଦ୍ୟାଧରପୁର ଗ୍ରାମବାସୀ। ତେବେ ଘଟଣା ସ୍ଥଳରେ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ଉଭୟଙ୍କୁ ବୁଝା ସୁଝା କରିଥିଲେ । କିନ୍ତୁ ସବୁ ସତ୍ବେ ମଧ୍ୟ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ