କଟକ: ଟିକାରୁ ବଞ୍ଚିତ ହେବେନି ଗର୍ଭବତୀ, ଶିଶୁ ଓ ମହିଳା । କଟକର ଜିଲ୍ଲାରେ ଯେଉଁମାନେ ଟୀକାକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଟିକାକରଣ କରାଯିବ । ତେଣୁ ଜିଲ୍ଲାର ସ୍ଵାସ୍ଥ୍ୟ ବିଭାଗ ତରଫରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏମାନଙ୍କୁ ସ୍ବତନ୍ତ୍ର ଟୀକାକରଣ ସେସନ୍ରେ ଟିକା ଦିଆଯିବ।
ଜିଲ୍ଲାର ୧୪ଟି ବ୍ଲକରେ ୫ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀଙ୍କ ସ୍ବାସ୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ନଜରରେ ରଖି ଏହିପରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ୩ ମାସ ଧରି ୧୮ ଦିନ ଟୀକାକରଣ କରାଯିବ। ଯେଉଁଥିରେ ଲାଭବାନ ହେବେ ଶିଶୁ ଓ ଗର୍ଭବତୀ । ତେବେ ଏହି କ୍ରମରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଇନ୍ଦ୍ରଧନୁସ 5.0 ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି ।
କଟକର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଟୀକାକରଣରୁ ବଞ୍ଚିତ ଥିବା ଲୋକଙ୍କୁ ଚିହ୍ନଟ କାରାଯାଇଛି । ସେମାନଙ୍କ ମଧ୍ୟରେ ଜନ୍ମରୁ ୧ ବର୍ଷ ପର୍ଯ୍ୟନ୍ତ ୨୬୮୭ ଜଣ , ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ୧୩୬୪ ଜଣ, ୨ରୁ ୫ବର୍ଷ ପର୍ଯ୍ୟନ୍ତ ୩୮୪ ଜଣ, ଗର୍ଭବତୀ ୭୬୩ ଜଣ ଏହି ଟୀକାକରଣରେ ଅନ୍ତର୍ଭୁକ୍ତ ହେବେ । ବିଶେଷ କରି ମିଳିମିଳା ଓ ରିବେଲା ପାଇଁ ୨୨୦୦ରୁ ଊର୍ଦ୍ଧ୍ବ ଟୀକାକରଣ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ।