କଟକ: କଟକ ଶିଶୁଭବନରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଶିଶୁଭବନର ବଢୁଛି ଶିଶୁ ମୃତ୍ୟୁହାର । ଦେଢ଼ ବର୍ଷ ମଧ୍ୟରେ ଗଲାଣି 3487 ଶିଶୁଙ୍କ ଜୀବନ । ପରିସଂଖ୍ୟାନ ରିପୋର୍ଟରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ରିପୋର୍ଟ ଅନୁଯାୟୀ ପ୍ରତିଦିନ ହାରାହାରି 6 ଶିଶୁଙ୍କର ମୃତ୍ୟୁ ହେଉଛି । ଏଭଳି ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ବିଶେଷଜ୍ଞ ।
ଶିଶୁଭବନରେ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ସବୁଠାରୁ ଦୁଃଖର କଥା ଶିଶୁଭବନରେ ବେଡ଼ ସଂଖ୍ୟା ମାତ୍ର 412 କିନ୍ତୁ ପ୍ରତ୍ୟେକ ଦିନ 1000ରୁ ଅଧିକ ଶିଶୁ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି । କିନ୍ତୁ ନା ଏଠାରେ ଅଛି ଆବଶ୍ୟକତା ଅନୁଯାୟୀ ବେଡ଼, ନା ଅଛନ୍ତି ତାକ୍ତର। ଏଥିସହ ପାରା ମେଡ଼ିକାଲ ଷ୍ଟାଫ ମଧ୍ଯ ଆବଶ୍ୟକତା ଅନୁଯାୟୀ ନାହାନ୍ତି । ଫଳରେ ନାହିଁ ନାହିଁରେ ଚାଲିଛି ଶିଶୁ ଭବନ। ଆଉ ବଳି ପଡୁଛନ୍ତି ନିଷ୍ପାପ ଶିଶୁ। ଏଭଳି ସମ୍ବେଦନଶୀଳ ବିଷୟକୁ ନେଇ ବିଜେପି ତରଫରପ ଶିଶୁଭବନ ଅଧିକ୍ଷକଙ୍କ ସହିତ ଆଲୋଚନା କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପରିସଂଖ୍ୟାନକୁ ଦେଖିଲେ ଜଣାଯାଏ ଶିଶୁ ମୃତ୍ୟୁହାର ଦିନକୁ ଦିନ ବଢ଼ିବାରେ ଲାଗିଛି । 2022 ଜାନୁଆରୀରୁ ଡିସେମ୍ବର ଭିତରେ 22 ଶହରୁ ଊର୍ଦ୍ଧ୍ବ ଶିଶୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ 2023 ଜାନୁଆରୀରୁ ଅଗଷ୍ଟ ସୁଧା 11 ଶହ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ।