କଟକ: ଜେଲରେ ବର୍ଷ ବର୍ଷ ଧରି ଦଣ୍ଡ ଭୋଗୁଥିବା କଏଦୀମାନଙ୍କ ମଧ୍ୟରେ ମାନସିକ ଶାନ୍ତି ତଥା ବୌଦ୍ଧିକ ବିକାଶ ପାଇଁ ଇଣ୍ଡିଆନ୍ ଅଏଲ ତରଫରୁ ସରକାରୀସ୍ତରରେ ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କୁ ଚେସ୍ ଖେଳ ପ୍ରଶିକ୍ଷଣ ଦିଆଯାଉଛି । କଏଦୀମାନଙ୍କର ମାନସିକ ବିକାଶ ଓ ସମାଜରେ ଶୃଙ୍ଖଳିତ ଭାବେ ବଞ୍ଚିବା ପାଇଁ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ । ସାରା ଦେଶରେ ଥିବା ଜେଲ୍ ଗୁଡିକ ମଧ୍ୟରେ ଆୟୋଜିତ ହେଉଛି ସର୍ବଭାରତୀୟ କାରାଗାର ଚେସ୍ ଚମ୍ପିଆନ୍ସିପ୍ । ଏଥର ଓଡିଶାର ଚାରୋଟି କାରାଗାରର ଅନ୍ତେବାସୀଙ୍କ ପାଇଁ ଏବେ ଜେଲ୍ ଭିତରେ ଚେସ୍ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ଖେଳାଯିବ ସର୍ବଭାରତୀୟ କାରାଗାର ଚେସ୍ । ଏଥିରେ ଯେଉଁ କାରାଗାର ଚମ୍ପିଆନ୍ ହେବ, ସେହି ଟିମ ଅକ୍ଟୋବରରେ ହେବାକୁ ଥିବା ବିଶ୍ବ କାରାଗାର ଚେସ୍ ଚମ୍ପିଆନ୍ସିପ୍ରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିବ ।
ବର୍ଷ ବର୍ଷ ଧରି ଜେଲରେ ରହୁଥିବା କଏଦୀମାନଙ୍କ ମଧ୍ୟରେ ମାନସିକ ଶାନ୍ତି ଓ ବୌଦ୍ଧିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାହାଯ୍ୟରେ ଇଣ୍ଡିଆନ୍ ଅଏଲ୍ ଆୟୋଜନ କରୁଛି ସର୍ବଭାରତୀୟ କାରାଗାର ଚେସ୍ ଚମ୍ପିଆନ୍ସିପ୍ । ଆଉ ଚଳିତ ବର୍ଷ ଓଡିଶାରୁ ଚୌଦ୍ଵାର, ଭୁବନେଶ୍ବର, ପୁରୀ ଓ ବ୍ରହ୍ମପୁର ଜେଲର ଅନ୍ତେବାସୀମାନେ ଏହି ଚମ୍ପିଆନ୍ସିପ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେଥିପାଇଁ ଏହି ୪ ଜେଲରେ ଏବେ ଚାଲିଛି ମାସେ ବ୍ୟାପୀ ଚେସ୍ ପ୍ରଶିକ୍ଷଣ ଶିବିର । ଏଥିରେ ରାଜ୍ୟର ଅଭିଜ୍ଞ ଚେସ୍ କୋଚ୍ମାନେ ପ୍ରଶିକ୍ଷଣ ଦେଉଛନ୍ତି । ଆସନ୍ତା ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ସର୍ବଭାରତୀୟ ଅନ୍ଲାଇନ୍ କାରାଗାର ଚେସ୍ । ପ୍ରଥମେ ଏହି କଏଦୀମାନଙ୍କୁ ପ୍ରଶିକ୍ଷଣ ଦେବାକୁ ମନରେ ଭୟ ରହୁଥିବା ବେଳେ ଏମାନଙ୍କ ଇଚ୍ଛା ଓ ଉତ୍ସାହ ଆମକୁ ଶିଖାଇବାରେ ବେଶ ଆଗ୍ରହ ସୃଷ୍ଟି କରିଥିବା କହିଛନ୍ତି ପ୍ରଶିକ୍ଷକ ।