କଟକ:କନ୍ଦାଉଛି ପରିବା ଦର । ସ୍ଥିତି ଏମିତି କି ପରିବା କିଣିବାକୁ ଜଣେ ସାଧାରଣ ଲୋକ ପକ୍ଷେ କଷ୍ଟସାଧ୍ୟ ସଦୃଶ । କାରଣ ଯେଉଁ ପରିବା ମାତ୍ର ୧୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇଯାଏ, ତାହା ଏବେ ୧୦୦୦ ଟଙ୍କା ହେଲେ ବି ଭର୍ତ୍ତି ହେଉନାହିଁ । କାରଣ ପରିବା ବଜାରରେ ସତେ ଯେପରି ନିଆଁ ଲାଗିଛି । ଯାହାକୁ କିଣିଲେ ବି କିଲୋ ପ୍ରତି ଶହେ ତଳକୁ ଖସୁ ନାହିଁ । ଆଉ ୧୫ ଦିନ ପରେ ପରିବା ଦର ହ୍ରାସ ପାଇବ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ।
ଏବେ ବଜାରରେ ବିଲାତି କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ, କଲରା, ଭେଣ୍ଡି ଆଦି ଦର ଆକାଶ ଛୁଆଁ । ଯାହାକି ଜଣେ ଗରିବ ବ୍ୟକ୍ତିଙ୍କ ପାଇଁ କିଣିବା କଷ୍ଟସାଧ୍ୟ । ଯଦିଓ ଆଳୁ, ପିଆଜ, କଖାରୁ ଦର ଟିକେ ଆଶ୍ବସ୍ତି ଦେଉଛି ତଥାପି ଅଦା ରସୁଣ ମହଙ୍ଗା ଦରକୁ ନେଇ ଚିନ୍ତାରେ ଖାଉଟି । କେମିତି ଘର ଚଳିବ ? କଣ ଖାଇବେ ପରିବାର ଲୋକ ? ଏହାକୁ ନେଇ ଜଣେ ସାଧାରଣ ଖାଉଟି ଚିନ୍ତାରେ ରହିବା ସ୍ବାଭାବିକ । କାରଣ ଯେତିକି ରୋଜଗାର ସେତିକିରେ ପରିବା କିଣି ଘରକୁ ନେବା ଏବେ ଯେମିତି ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ କେବେ ପରିବା ଦର କମିବ ଅର୍ଥାତ କେବେ ସ୍ଵାଭାବିକ ହେବ ଦର ତାହା ଚାହିଁ ବସିଛି ଖାଉଟି ।
କେବେ ଖସିବ ପରିବା ଦର ? :-ପରିବା ଦର କେବେ ଖସିବ ? କେବେଠାରୁ ସ୍ବାଭାବିକ ହେବ ପରିବା ଦର ? ଏନେଇ ସମସ୍ତଙ୍କ ନଜର ରହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ। ଦେବ ସାହୁଙ୍କ କହିବା ମୁତାବକ ବର୍ଷା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ବର୍ଷା ଯଦି ସ୍ବାଭାବିକ ଭାବରେ ହୋଇଥାନ୍ତା ତେବେ ସଠିକ ସମୟରେ ପରିବା ଅମଳ ହୋଇଥାନ୍ତା । ଆଉ ବଜାରକୁ ଆବଶ୍ୟକତା ଅନୁସାରେ ପରିବା ଆସିଥାନ୍ତା । ମାତ୍ର ବର୍ଷାର ଅଭାବ ଯୋଗୁଁ ପରିବା ବଜାରକୁ ଆସିପାରି ନାହିଁ।