କଟକ: କର୍କଟ ଏକ ଏପରି ରୋଗ ଯାହାର ଚିକିତ୍ସା ଠିକ ସମୟରେ କରାନଗଲେ ପରିସ୍ଥିତି ବିଗିଡି ଯାଇଥାଏ । ହେଲେ ଲକଡାଉନ ସମୟରେ କର୍କଟ ରୋଗୀଙ୍କର ନିୟମିତ ଚିକିତ୍ସା ହୋଇପାରିନଥିବାରୁ ଅନେକ ରୋଗୀଙ୍କ ଅବସ୍ଥା ଜଟିଳ ହୋଇପଡିଛି । ଏପରିକି ଲକ୍ଡାଉନ୍ ସମୟରେ ପୂର୍ବାପେକ୍ଷା କର୍କଟ କେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ମଧ୍ୟ 70 ପ୍ରତିଶତ କମିଯାଇଥିବା ଜଣାପଡିଛି ।
ଲକଡାଉନ ଯୋଗୁଁ ଗାଡି ମଟର ବନ୍ଦ ରହିଥିବାବେଳେ ଗମନାଗମନ ଠପ୍ ହୋଇଯାଇଥିଲା । ଫଳରେ ନିୟମିତ ଯାଞ୍ଚ ପାଇଁ କର୍କଟ କେନ୍ଦ୍ରକୁ ଆସି ପାରିନଥିଲେ ରୋଗୀ । ଏପରି ଜଣେ କର୍କଟ ରୋଗୀ ହେଉଛନ୍ତି ଭଦ୍ରକର ପ୍ରକାଶ ଦାସ ।
ମୁଣ୍ଡରେ ତାଙ୍କର ଟ୍ୟୁମର ବାହାରିଥିବା ପରେ ଅପରେସନ ପାଇଁ ଏମ୍ସ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ । ପରେ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଡାକ୍ତର ତାଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଆସିବାକୁ ପରାମର୍ଶ ଦେଇଥିଲେ ।
ତେବେ ହଠାତ ଲକ୍ଡାଉନ୍ ଘୋଷଣା ପରେ ସବୁକିଛି ବନ୍ଦ ହୋଇଯିବାରୁ ସେ କଟକ ଆସିବା ସମ୍ଭବ ନଥିଲା । ଏହାରି ଭିତରେ ଦୁଇ ମାସ ବିତିଯାଇଥିବାବେଳେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଚିକିତ୍ସା ପାଇଁ ଆସିଛନ୍ତି ।
ସେହିପରି ବାଲେଶ୍ବରର ନିରୂପମାଙ୍କର ମଧ୍ୟ ସମାନ ଅବସ୍ଥା । ସ୍ତନ କର୍କଟରେ ପୀଡିତ ଥିବା ନିରୂପମାଙ୍କର ଚିକିତ୍ସା ହେଉଥିବାବେଳେ ଲକ୍ଡାଉନ୍ କାରଣରୁ ନିୟମିତ ଚେକଅପ୍ କରିପାରିନଥିଲେ । ଖାଲି ଏହି ଦୁହେଁ ନୁହଁନ୍ତି ଏପରି ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।