କଟକ: ପ୍ରଦୂଷିତ ହେଉଛି ବ୍ରାହ୍ମଣୀ ଓ ଏହାର ଶାଖା ନଦୀ । ବିଶେଷକରି କ୍ରୋମାଇଟ ଖଣି ଯୋଗୁଁ ଏପରି ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏନେଇ ରାଜ୍ୟ ସରକାର ମଧ୍ୟ ସତ୍ୟପାଠ ଦାଖଲ କରିଛନ୍ତି । ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ୨୦୨୪, ଜାନୁଆରୀ ୨ରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଛି । ବିଶେଷକରି ଜଳ ପ୍ରଦୂଷଣ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରାଯାଇଛି ।
ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ, ଏକ ବିଶେଷଜ୍ଞ କମିଟି ଦ୍ବାରା ବ୍ରହ୍ମଣୀ ନଦୀ ଜଳର ମାନ ସାନି ଯାଞ୍ଚ ଓ ପ୍ରଦୂଷଣ ପ୍ରସଙ୍ଗ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କମିଟି ଗଠନ ପାଇଁ ବିଶେଷଜ୍ଞଙ୍କ ତାଲିକା ଦେବା ଲାଗି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାମଲା ପରିଚାଳାନା କରୁଥିବା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ତେବେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ଯେ, ବ୍ରାହ୍ମଣୀ ଓ ଏହାର ଶାଖା ନଦୀକୁ କିପରି ସିଧାସଳଖ ବର୍ଜ୍ୟଜଳ ନଯିବ ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ମହାଗିରି/ଦୈତାରୀ ରେଞ୍ଜରୁ ବାହାରିଥିବା ଡମଶାଳା ନାଳ ସୁକିନ୍ଦା ଉପତ୍ୟକା ଦେଇ ବ୍ରାହ୍ମଣୀ ନଦୀରେ ମିଶିଛି । ଦେଶର ବୃହତର କ୍ରୋମାଇଟ ଭଣ୍ଡାର ହେଉଛି ସୁକିନ୍ଦା ଉପତ୍ୟକା । ଏହି ଉପତ୍ୟକାରେ ରହିଥିବା ୧୦ଟି କ୍ରୋମାଇଟ ଖଣିରୁ ବର୍ଜ୍ୟଜଳ ଡମଶାଳା ନାଳକୁ ଯାଇଥାଏ । ଏଥିମଧ୍ୟରୁ ୭ଟି ଖଣି ଏବେ କାର୍ଯ୍ୟକ୍ଷମ ଅଛି । ଏହିସବୁ ଖଣିରୁ ବାହାରୁଥିବା ପାଣିରେ ପ୍ରଦୂଷଣକାରୀ ହେକ୍ସାଭାଲେଣ୍ଟ କ୍ରୋମିୟମ ରହିଛି ।