ନିଆଳି:ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ । ଗତ କିଛି ଦିନ ନିରବ ପରେ ପୁଣି କଟକ ଜିଲ୍ଲା ନିଆଳି ଥାନା ଷଢାଂଶ ପଞ୍ଚାୟତର ସରାକୋରରେ ବୋମାମାଡ ହୋଇଛି । ତେବେ ଗୋଟିଏ କି ଦୁଇଟି ନୁହେଁ ୬ଟି ବୋମାମାଡ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ଅଫୁଟା ବୋମାକୁ ନିଆଳି ପୋଲିସ ଜବତ କରି ନିଷ୍କ୍ରିୟ କରିଥିବା ସୂଚନା ମିଳିଛି । ଏନେଇ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ସେମାନେ ହେଲେ ସତ୍ୟବାଦୀ କାଣ୍ଡି ଓ ଆଶିଷ କାଣ୍ଡି ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ମନରେଗା କାର୍ଯ୍ୟକୁ ନେଇ ସରାକୋରା ଗାଁରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଉଭୟ ପକ୍ଷରୁ ନିଆଳି ଥାନାରେ ଏତଲା ମଧ୍ୟ ହୋଇଥିଲା । ତେଣୁ ପୂର୍ବ ଶତ୍ରୁତାକୁ ନେଇ ଗତକାଲି ଗାଁରେ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଯଦିଓ ଏହି ବୋମାମାଡ଼ରେ କାହାର କ୍ଷୟକ୍ଷତି ହୋଇନାହିଁ ହେଲେ ଗାଁରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ଏନେଇ ଗତକାଲି ଉଭୟଙ୍କ ପଟରୁ ଦୁଇଟି ଏତଲା ହୋଇଛି । ଗୋଟିଏ ପକ୍ଷରୁ ପ୍ରଭାସିନ କାଣ୍ତି ଏବଂ ଅନ୍ୟପକ୍ଷରୁ ଆରତୀ କାଣ୍ତି ଏତଲା ଦେଇଛନ୍ତି । ନିଆଳି ପୋଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେହିପରି ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । ଏହି ବୋମାମାଡ଼ ଘଟଣାରେ ଉଭୟଙ୍କ ପଟରୁ ପାଖାପାଖି ୩୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ହେଲେ ବୋମାମାଡ଼ ଘଟଣା ସମ୍ପର୍କରେ ଉଭୟଙ୍କ ପଟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଖୋର୍ଦ୍ଧା ଦେଉଳି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମରେ ଏକାଧିକ ବୋମା ମାଡ଼ ହୋଇଥିଲା । ଏନେଇ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ବୋମା ମାଡ଼ରେ ଆହତ ହୋଇଥିବା ମହେଶ୍ୱର ବଳିଆରସିଂ । ତିନି ଭାଇ ପିଣ୍ଡାରେ ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ ହଠାତ ବୋମା ମାଡ଼ର ଶବ୍ଦ ଶୁଣି ଉଠିଥିଲେ । ଏନେଇ ବାହାରକୁ ଯାଇ ଦେଖିଥିଲେ ଯେ ସେହି ଗ୍ରାମର ମୁନା ବେହେରା ଲଗାତାର ଭାବେ ବୋମାମାଡ଼ କରୁଥିଲା । ଏଥି ସହ ଏମାନଙ୍କୁ ଦେଖି ଏମାନଙ୍କ ଉପରକୁ ମଧ୍ୟ ବୋମା ଫୋପାଡି ଥିଲା । ଏଥିରେ ଦୈତାରି, ଜୟକୃଷ୍ଣ ଓ ମହେଶ୍ୱର ତିନି ଭାଇ ଆହତ ହୋଇଥିଲେ । ଏନେଇ ସଙ୍ଗେସଙ୍ଗେ ସେମାନେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ବେଳେ ଭୟଭୀତ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।
ଇଟିଭି ଭାରତ,ନିଆଳି