କଟକ:'ବୋଲବମ, ହରହର ବମ' ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଛି ମହାନଦୀର ଗଡ଼ଗଡ଼ିଆ ଘାଟ । ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର ଥିବାରୁ ଗଡ଼ଗଡ଼ିଆରେ କାଉଡ଼ିଆଙ୍କ ଭିଡ଼ ଜମିଛି । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ ଶିବଭକ୍ତ । ଏଥର କୌଣସି କୋଭିଡ କଟକଣା ନଥିବାରୁ ଉତ୍ସାହିତ ଅଛନ୍ତି କାଉଡ଼ିଆ । ତେବେ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ ।
ଏଥର 2 ମାସିଆ ଶ୍ରାବଣରେ ଜଳାଭିଷେକର ସୁଯୋଗ ମିଳିଥିବାରୁ କାଉଡ଼ିଆମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି । କାଉଡ଼ିଆଙ୍କ ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ଅଗ୍ନିଶମ ଓ ପୋଲିସ । ତେବେ ଦେବଦେବ ମହାଦେବ ମସ୍ତକରେ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଜମିଛି ବୋଲବମ ଭକ୍ତଙ୍କ ଭିଡ଼ । ପବିତ୍ର ନଦୀର ଜଳ ଆଣି, ବାଲିରେ ମହାଦେବଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ କାନ୍ଧରେ ବାହୁଙ୍ଗି ଓ କଳସ ଧରି ରାଜ୍ୟର ବିଭିନ୍ନ ଶୈବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡ଼ିଆ । କିଏ ବାବା ଲିଙ୍ଗରାଜଙ୍କ ପାଖକୁ ତ ଆଉ କିଏ ଧବଳେଶ୍ବରଙ୍କ ନିକଟକୁ ଆଉ କିଛି ଭକ୍ତ ଲୋକନାଥ ଓ ଆରଡି ଭଳି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ।