ନିଆଳି: କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ମାମଲା । ଘଟଣାରେ ସିବିଆଇ ତଦନ୍ତ ଦାବି କରି କଟକ ଜିଲ୍ଲାର ନିଆଳି ଥାନା ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଏହାସହିତ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ମଧ୍ୟ ଦାବି ହୋଇଛି ।
ଦିନକୁ ଦିନ ମମିତା ମୃତ୍ୟୁ ଘଟଣାକୁ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି ଓ କଂଗ୍ରେସ ଦଳର ଟାର୍ଗେଟରେ ବିଜେଡି ଦଳର ଟାଣୁଆ ନେତା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ହତ୍ୟାକାଣ୍ତରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଦୁଇ ଦଳ ଏବେ ରାଜ୍ୟ ବିଜେଡ଼ି ଦଳକୁ ଲହୁ ଲୁହାଣ କରି ସାରିଲେଣି । ବିଜେପି ସବୁ ପ୍ରସଙ୍ଗକୁ ଦୂରେଇ ରହି ମମିତାଙ୍କୁ ନ୍ୟାୟ ଦେବା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ଦାବିରେ କଟକ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଥାନା ଘେରାଉ କରାଯିବା ସହ ବିରୋଧ ପ୍ରଦର୍ଶନ କରାଯାଇଛି ।
ମମିତା ମେହେର ହତ୍ୟାକାଣ୍ଡ: ନିଆଳି ଥାନା ଘେରାଉ କଲା ବିଜେପି କର୍ମୀ ଘଟଣାର ଓଡ଼ିଶା ପୋଲିସ ତଦନ୍ତ ନୁହେଁ ବରଂ CBI ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ଦୋଷୀ ଧରା ପଡିବା ସହ ଦଣ୍ତ ମିଳିପାରିବ ଏବଂ ମମିତାଙ୍କ ପରିବାରଙ୍କୁ ଉଚିତ ନ୍ୟାୟ ମିଳିପାରିବ ବୋଲି ବିଜେପି ଦୃଢୋକ୍ତି ପ୍ରକାଶ କରିଛି । ମମିତା ମୃତ୍ୟୁକୁ ନେଇ ଓଡ଼ିଶା ସାରା ନିଆଁ ଜଳୁଛି । ଥାନା, ତହସିଲ,ବ୍ଲକ, ଜିଲ୍ଲାପାଳ ଅଫିସ ଓ ରାଜ ରାସ୍ତାରେ ବିଜେପି ଓ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ ଜାରି ରହିଛି ।
ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ରାଜନୀତି ଜୋର ଧରିଛି । ତେବେ ନିଆଳି ଥାନା ଘେରାଉ ସମୟରେ ସ୍ଥାନୀୟ ବିଜେପି ନେତା ଛବି ମଲ୍ଲିକ, ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା, ରାଜ୍ୟ ସଂଖ୍ୟା ଲଘୁ ନେତା ସେକ ହସନ, ମଣ୍ତଳ ଉପସଭାପତି ତ୍ରିଲୋଚନ ବେହେରା, ସନ୍ତୋଷ ବିଶ୍ବାଳ, ମଧୁସ୍ମିତା ମଲ୍ଲିକ ଓ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ