ନିଆଳି: ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି । ଏହି କ୍ରମରେ ନିଆଳିରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ରାଜନୀତି ଦେଖିବାକୁ ମିଳିଛି । କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତ ସାହାନାଜପୁର ଗାଁରେ ଜଣେ ଡିଲରଙ୍କ ଘର କାନ୍ଥରେ କାହା ଫୋଟୋ ରହିବ ସେନେଇ ରାଜନୀତି ଜୋର ଧରିଛି । ଡିଲର ଦେବେନ୍ଦ୍ର ଦାଶଙ୍କ ଖାଉଟି ପାଇଁ ଉଦ୍ଦିଷ୍ଟ କାନ୍ଥରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫୋଟୋ ଲଗାଯାଇଥିବା ବେଳେ ବିବାଦ ପରେ ଏହାକୁ ହଟାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଯାଇଛି ।
ଡିଲରଙ୍କ କାନ୍ଥରେ ରହିବ କାହାର ଫଟୋ ? ମୁଖ୍ୟମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ । ଏହି ଘଟଣାକୁ ନେଇ କଟକ ଜିଲ୍ଲା ନିଆଳିରେ ଚର୍ଚ୍ଚା । କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧିନ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ମାଗଣାରେ ପାଞ୍ଚ କିଲୋ ଚାଉଳ ଯୋଗାଇ ଦେଉଛନ୍ତି । ଏହି ମାଗଣା ଚାଉଳ ହିତାଧିକାରୀମାନେ ବିଭିନ୍ନ ଡିଲର, ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ପଞ୍ଚାୟତ ମାଧ୍ୟମରେ ପାଉଛନ୍ତି । ଯୋଗାଣ ସ୍ଥାନ ମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋଟୋ ବଦଳରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ଯୋଗୁଁ ବିଜେପି ସମର୍ଥକ ଜୋରଦାର ବିରୋଧ କରିଛନ୍ତି । କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତ ସାହାନାଜପୁର ଗାଁରେ ଡିଲରଙ୍କ ଖାଉଟି ଗୃହ କାନ୍ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବା ବେଳେ ଏହାକୁ ବିରୋଧ କରିଥିଲେ ବିଜେପି କର୍ମୀ । ପ୍ରଧାନମନ୍ତ୍ରୀ ମାଗଣା ଚାଉଳ ଦେଉଥିବାରୁ ସେହି କାନ୍ଥରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ବୋଲି ଦାବି କରିଥିଲେ । ବିରୋଧ ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ହଟାଯାଇ ପ୍ରଧାନମନ୍ତ୍ରୀଙ୍କ ଫୋଟୋ ଲଗାଯାଇଛି ।
ଏହାମଧ୍ୟ ପଢନ୍ତୁ.. ତେଜିଲା BSKY-ନବୀନ କାର୍ଡ ରାଜନୀତି: ସମ୍ବିତ-ମୋହନ ମୁହାଁମୁହିଁ