କଟକ:ରାଜ୍ୟ ସରକାରଙ୍କ ବିରୋଧରେ ଥମୁନି ବିଜେପିର ଗର୍ଜନ । ବିଜେଡି ସରକାର ଓ ପୋଲିସ ଉପରେ ପୁଣି ବର୍ଷିଲା ବିଜେପି । ବିଧାନସଭା ଘେରାଉ ସମୟରେ ରାଜଧାନୀରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ କରି ଆଜି (ଶନିବାର) ସାରା ରାଜ୍ୟରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି କ୍ରମରେ କଟକ ଗ୍ରାମାଞ୍ଚଳ SP ଅଫିସ ସମ୍ମୁଖରେ କଟକ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ରାଜ୍ୟ ସରକାର ପୋଲିସ ବିଭାଗକୁ ବ୍ୟବହାର କରି ଏହି ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି ।
ଏହି ଅବସରରେ କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ । ତେବେ ଉକ୍ତ ଅଘଟଣକୁ ନେଇ ଆଜି କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲା କଟକ ଜିଲ୍ଲା ବିଜେପି । ଏନେଇ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା କହିଛନ୍ତି, "ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିଜେପି କର୍ମୀଙ୍କ ଉପରେ ପୋଲିସ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ଏହା ସହ ସରକାରୀ ଦଳ ଷଡ଼ଯନ୍ତ୍ର କରି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଖାଲି ସେତିକି ନୁହେଁ ବିଜେପି କର୍ମୀମାନଙ୍କୁ ସଙ୍ଗୀନ ଦଫା ଲଗାଇ ଗିରଫ କରି ଜେଲକୁ ପଠାଯାଇଛି । ହେଲେ ଏପର୍ଯ୍ୟନ୍ତ ଯେଉଁମାନେ ପ୍ରକୃତ ଦୋଷୀ ଅଛନ୍ତି ସେମାନଙ୍କୁ ପୋଲିସ ଓ ସରକାର ଘଣ୍ଟ ଘୋଡାଉଛନ୍ତି ।"