କଟକ: ସିଏମ୍ସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ନାଁରେ ରାସନ କାର୍ଡ ଓ ସାଙ୍ଗିଆ ପରିବର୍ତ୍ତନ ଘଟଣା । ପୋଲିସର ଦ୍ବାରସ୍ଥ ହେଲା ବିଜେପି । ଆଜି କଟକ ପୋଲିସ ଡିସିପିଙ୍କ କାର୍ଯ୍ୟାଳୟ ଆସି ଏହି ଅନିୟମିତତା କାର୍ଯ୍ୟରେ ଲିପ୍ତ ଥିବା ସିଏମ୍ସିର ଦୁଇ ଅଧିକାରୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛି ଭାରତୟ ଜନତା ପାର୍ଟି । ପୂର୍ବରୁ ଦମୟନ୍ତୀଙ୍କ ନାଁରେ ରାସନ୍ କାର୍ଡ ରହିଥିଲା । 2022ରେ ଡେପୁଟି ମେୟର ନିର୍ବାଚନ ଜିତିବା ପରେ ସାନି ରାସନ କାର୍ଡ ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ନିର୍ବାଚନରେ ଦମୟନ୍ତୀ ମାଝୀ ରହିଥିଲେ ମଧ୍ୟ ତାଙ୍କ ନାମ ଦମୟନ୍ତୀ ମାର୍ଣ୍ଡି ବୋଲି କହିଛନ୍ତି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ । ତେବେ ତମାମ ଦସ୍ତାବିଜକୁ ଆଜି ପୋଲିସକୁ ହସ୍ତାନ୍ତର କରି ଏହି ଦିଗରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି ବିଜେପି ।
ଗତକାଲି (ଶନିବାର)ଠାରୁ ରାସନକାର୍ଡରେ କଟକ ମହାନଗର ନିଗମର ଡେପୁଟି ମେୟରଙ୍କ ନାଁ ରହିଥିବା ନେଇ ଉଠିଥିଲା ବିବାଦ । ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ନାଁରେ ଥିବା ରାସନକାର୍ଡରେ ରାସନ ସାମଗ୍ରୀ ଉଠାଯାଉଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଉକ୍ତ ରାସନକାର୍ଡରେ ତାଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ନାଁ ଉଲ୍ଲେଖ ରହିଥିବା ସମ୍ନାକୁ ଆସିଥିଲା । ହେଲେ ବର୍ତ୍ତମାନ ସେଥିରେ ମାଝୀ ବଦଳରେ ତାଙ୍କର ସାଙ୍ଗିଆ ପରବର୍ତ୍ତନ କରି ମାର୍ଣ୍ଡି କରାଯାଇଥିବାରୁ ବିବାଦ ଘନୀଭୂତ ହୋଇଛି । କିଭଳି ହଠାତ ତାଙ୍କ ସାଙ୍ଗିଆ ପରିବର୍ତ୍ତନ ହେଲା ଓ ଏଥିରେ କାହାର ହାତ ଅଛି ସେନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ନେଇ ଦୁଇ ସିଏମ୍ସି ଅଧିକାରୀଙ୍କ ନାମରେ ପୋଲିସ ଡିସିପିଙ୍କୁ ଅଭିଯୋଗ ପତ୍ର ଦେଇଛି ବିଜେପି ।