କଟକ:ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ଇଣ୍ଡୋର ଷ୍ଟାଡିୟମରେ ଜରିପାଲ ପଡ଼ିବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି । କଟକ ବାରବାଟୀ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ରାଜ୍ୟ ସରକାରଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରିଛନ୍ତି । ଏମିତିକି ବିର୍ସା ମୁଣ୍ଡା ଷ୍ଟାଡିୟମ ଭୁଶୁଡ଼ି ପଡିବା କଥା କହି ସରକାରଙ୍କୁ କଟାକ୍ଷ କରିଛନ୍ତି । କେବଳ ସେତିକି ନୁହେଁ ଷ୍ଟାଡିୟମ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ଏହାର ତୁରନ୍ତ ମରାମତି କରାନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ମୋକିମ ।
ସେହିପରି ବିଜେପି କର୍ପୋରେଟର ବି ଏହାର ତଦନ୍ତ ଦାବି କରିବା ସହ ଷ୍ଟାଡିୟମ ନାଁରେ ଅର୍ଥ ହଡପ କରାଯିବା କଥା କହି ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ତେବେ ଏହାର ଜବାବ ରଖିଛି ବିଜେଡି । କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ଷ୍ଟାଡିୟମର ଖୁବଶୀଘ୍ର ମରାମତି କରାଯିବ ।
ଏହା ବି ପଢ଼ନ୍ତୁ:ଜରିପାଲ ତଳେ ରାଷ୍ଟ୍ରପତି: ଅତିରିକ୍ତ ସତର୍କତା ନିଆଯାଇଥିବା କହିଲେ ମୁଖ୍ୟ ଶାସନ ସଚିବ
ଗତକାଲି ଇଣ୍ଡୋର ଷ୍ଟାଡିୟମରେ ଜରିପାଲ ତଳେ ରାଷ୍ଟ୍ରପତିଙ୍କ କାର୍ଯକ୍ରମକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ । ଏହି ଘଟଣାକୁ ରାଜନୈତିକ ଅବହେଳା ବୋଲି ଅଭିଯୋଗ କରିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ବର୍ତ୍ତମାନ ସରକାର 5T ଅଧିନରେ ନୂଆ ଷ୍ଟାଡିୟମ୍ ତିଆରି କରୁଥିବା ବେଳେ ତାହା ଗୋଟିଏ ବର୍ଷ ମଧ୍ୟରେ ଭୁଶୁଡ଼ି ପଡୁଛି । ଯେପରି ବିର୍ସାମୁଣ୍ଡା ଷ୍ଟାଡିୟମର ଅବସ୍ଥା ହେଲା । ମାତ୍ର କଂଗ୍ରେସ ସରକାର ଅମଳରେ ତିଆରି ହୋଇଥିବା ଇଣ୍ଡୋର ଷ୍ଟାଡିୟମ୍କୁ ଜାଣିଶୁଣି ଅବହେଳା କରାଯାଉଛି । ଏହି ଘଟଣାରେ ଷ୍ଟାଡିୟମର ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସେ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖିବେ । ତୁରନ୍ତ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାନଗଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ବିଧାୟକ ।