ନିଆଳି:ପୁଣି ପଦାରେ ପଡିଲା ବିଜେଡି କନ୍ଦଳ । ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଟଣାଓଟରା । ଶୁକ୍ରବାର ବିଜେଡି ବିଧାୟକ ଦ୍ବାରା ଏକ ମିନି ଷ୍ଟାଡିୟମର ଉଦଘାଟନ ହେବାକୁ ଥିବାବେଳେ ପୂର୍ବ ରାତିରେ ଷ୍ଟାଡିୟମର ସୂଚନା ଫଳକ ଭାଙ୍ଗିଲେ ଦଳର ଅସନ୍ତୋଷ ଗୋଷ୍ଠୀ । ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀରୁ ସାମ୍ନାକୁ ଆସିଥିବା ଏହି ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନାଯୋଗ୍ୟ, ୧୦୧୬-୧୭ ଆର୍ଥିକ ବର୍ଷରେ ବାଲିଅନ୍ତା ବ୍ଲକର ବେଣୁପୁର ପଞ୍ଚାୟତର ଏକ ମିନି ଷ୍ଟାଡିୟମ ଶିଳାନ୍ୟାସ ହୋଇଥିଲା । ପରେ ଭିଡିଓ କନଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦ ଲକ୍ଷ ଟଙ୍କା ବ୍ୟୟରେ ମିନି ଷ୍ଟାଡିୟମର ଉନ୍ନତିକରଣ ଆରମ୍ଭ ହୋଇଥିଲା । ଶୁକ୍ରବାର ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ଅରବିନ୍ଦ ଢାଲିଙ୍କ ଦ୍ବାରା ଷ୍ଟାଡିୟମର ଉଦଘାଟନ କରାଯିବା ନେଇ ସ୍ଥିର କରାଯାଇଥିଲା । କିନ୍ତୁ ଗତ ୧୫ ତାରିଖ ଦିନ ବିଜେଡି ଦଳର ଅସନ୍ତୋଷ ଗୋଷ୍ଠୀ ଏହାକୁ ଉଦଘାଟନ କରିଦେଇଥିଲେ । ପୁନଶ୍ଚ ବିଧାୟକଙ୍କ ଦ୍ବାରା ମିନି ଷ୍ଟାଡିୟମର ଉଦଘାଟନ କରାଯିବାକୁ ଥିବାବେଳେ ଅପରପକ୍ଷ ସୂଚନା ଫଳକକୁ ଭାଙ୍ଗି ଦେଇଛନ୍ତି ।