କଟକ: ହେତୁବାଦୀ ପ୍ରତାପ ରଥ (Rationalist Pratap Kumar Rath) ଙ୍କୁ ଲିଗାଲ ନୋଟିସ (Legal notice) । ଲିଗାଲ ନୋଟିସ ଜାରି କଲେ ହାଇକୋର୍ଟ ଆଇନଜୀବୀ ସନ୍ଦୀପନ ମିଶ୍ର(Lawyers Sandipan Mishra) । କାହିଁକି ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନିଆଯିବ ସେ ନେଇ ଉତ୍ତର ରଖିବାକୁ ନୋଟିସ ଜାରି କରିଛନ୍ତି ଆଇନଜୀବି । ଆସନ୍ତା ୭ ଦିନ ମଧ୍ୟରେ ଉତ୍ତର ନ ରଖିଲେ ହାଇକୋର୍ଟରେ ମାମଲା ଦାୟର ହେବ ବୋଲି କହିଛନ୍ତି ଆଇନଜୀବି ସନ୍ଦୀପନ ମିଶ୍ର ।
Biriyani Solar Eclipse Row: ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ ଏନେଇ ଆଇନଜୀବି ସନ୍ଦୀପନ ମିଶ୍ର କହିଛନ୍ତି, ହିନ୍ଦୁ ଧର୍ମକୁ ଅସମ୍ମାନ କଲା ଭଳି ଆପଣ ଗଣମାଧ୍ୟମରେ ସୂର୍ଯ୍ୟପରାଗକୁ ନେଇ ଆପତ୍ତିଜନକ ତଥ୍ୟ ରଖିଛନ୍ତି । ଏଭଳି କାର୍ଯ୍ୟ ପାଇଁ ପ୍ରତାପ ରଥ ନିସଃର୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ଆଇନଜୀବୀ ସନ୍ଦୀପନ ମିଶ୍ର ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ
ସୂଚନାଯୋଗ୍ୟ ଗତ ୨୫ ତାରିଖରେ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ(Solar eclipse) ହୋଇଥିଲା । ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ଏଥିପାଇଁ ଭୋର ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା । ସାଧାରଣତଃ ପରାଗ ସମୟରେ ରୋଷେଇ କରିବା ଓ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । କିନ୍ତୁ ଏହି ନିୟମକୁ ଅବମାନନା କରିଥିଲେ ଓଡିଶା ହେତୁବାଦୀ ସମାଜ । ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଥିବା ବେଳେ ଏହାକୁ ଅନ୍ଧବିଶ୍ବାସ ମାନୁଛନ୍ତି ହେତୁବାଦୀ । ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ନଖାଇବା ନିୟମକୁ ଅନ୍ଧବିଶ୍ବାସ କହିଥିଲା ଓଡିଶା ହେତୁବାଦୀ ସମାଜ । ପରାଗରେ ଖାଦ୍ୟ ନିଷେଧ ଏକ କୁସଂସ୍କାର । ଯାହା ସମ୍ବିଧାନର ଉପରେ ନୁହେଁ ତେଣୁ ଏହାକୁ ନ ମାନି ଖାଦ୍ୟ ଖାଇବା ଦରକାର ବୋଲି କହିଛନ୍ତି ହେତୁବାଦୀ । ଏନେଇ ଭୁବନେଶ୍ବରର ଏକ ସ୍ଥାନରେ ବିରିୟାନୀ ଷ୍ଟଲ ଖୋଲିବା ସହ ଲୋକଙ୍କୁ ମଧ୍ୟ ଚିକେନ ବିରିୟାନୀ ଖାଇବାକୁ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ:ସୂର୍ଯ୍ୟପରାଗରେ ବିରିୟାନୀ ଖାଇବା ଘଟଣା, ହେତୁବାଦୀ ସମାଜ ବିରୋଧରେ ଏତଲା
ସେପଟେ ସୂର୍ଯ୍ୟପରାଗକୁ ନେଇ ହିନ୍ଦୁ ଧର୍ମର ନୀତି ନିୟମକୁ ହେତୁବାଦୀ ସମାଜ କୁଠାର ଘାତ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ହେତୁବାଦୀ ସମାଜ ବିରୋଧରେ ଥାନାରେ ଏତଲା ରୁଜୁ କରାଯାଇଛି । ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଗତ ୨୫ ତାରିଖ ମଙ୍ଗଳବାର ସୂର୍ଯ୍ୟପରାଗ ସମୟରେ ହେତୁବାଦୀ ସମାଜ ହିନ୍ଦୁ ଧର୍ମ ଓ ପରମ୍ପରାକୁ ନିନ୍ଦା ଓ ଅପମାନିତ କରିଥିବା ନେଇ ଆପତ୍ତି ଉଠାଇଛି ବ୍ରାହ୍ମଣ ସମାଜ । ହିନ୍ଦୁ ଧର୍ମକୁ ନେଇ କୋଟିକୋଟି ଲୋକଙ୍କ ଆସ୍ଥା ଥିବା ବେଳେ ହେତୁବାଦୀ ସଙ୍ଗଠନ ଯେଭଳି ଏହାକୁ ଅପମାନ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ ବ୍ରାହ୍ମଣ ସମାଜର କର୍ମକର୍ତ୍ତା । ପୋଲିସ ହେତୁବାଦୀ ସମାଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ପୁରୀ ବ୍ରାହ୍ମଣ ସମାଜ ଅନୁଷ୍ଠାନ ।
ଇଟିଭି ଭାରତ, କଟକ