କଟକ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 107 ତମ ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ କଟକର ଆନନ୍ଦ ଭବନରେ ବିଜୁ ଜୟନ୍ତୀ ବେଶ ଆଡ଼ମ୍ବର ସହ ପାଳନ କରଯାଇଛି । ନେତାଠୁ ଆରମ୍ଭ କରି ରାଜନେତା ସମସ୍ତେ ଆନନ୍ଦ ଭବନରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିବା ସହ ତାଙ୍କର ଜୀବନ ଶୈଳୀ ଉପରେ ଚର୍ଚ୍ଚା କରିଛନ୍ତି ।
ଭୂମିପୁତ୍ର ଭାବରେ ସୁନାମ ଅର୍ଜନ କରିଥିବା ବିଜୁ ବାବୁ ଆଜି ଓଡିଶାର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ହୃଦୟରେ ରହିଛନ୍ତି । ତାଙ୍କର କର୍ତ୍ତବ୍ୟ ନିଷ୍ଠା, ଦକ୍ଷ ରଣନୀତି, କହିବା ଶୈଳୀ ସବୁ ଦିଗରେ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି । କଟକରେ ଅନୁଷ୍ଠିତ ଏହି ଜୟନ୍ତୀ କାର୍ଯ୍ୟକ୍ରମ ସବୁ ଆଡେ ପାଳିତ ହୋଇଛି । କଳିଙ୍ଗ ପୁତ୍ର ଭାବରେ ସାରା ବିଶ୍ବରେ ଖ୍ୟାତି ଅର୍ଜନ କରିବା ପରେ ନିଜର ଜୀବନ ତମାମ ଓଡିଶାର ଗର୍ବ ଓ ଗୌରବକୁ ଦ୍ବିଗୁଣିତ କରିଥିଲେ । ଯାହାକୁ ନେଇ ଆଜି ତାଙ୍କର ଗାରିମା ସବୁ ଆଡେ ପ୍ରଜ୍ବଳିତ ।
1997 ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ଶାସନ ଜାରି ରହିଛି । ସେଥିପାଇଁ 23 ବର୍ଷ ଧରି ବିଜୁ ଜନତା ଦଳ ନିରନ୍ତର ଓଡିଶାରେ ଶାସନ କରି ଆସିଛି । ଯାହାର ଶ୍ରେୟ କେବଳ ବିଜୁ ପଟ୍ଟନାୟକ ବୋଲି କହିଛନ୍ତି ଦଳୀୟ କର୍ମୀ ଓ ନେତା । ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 107ତମ ଜୟନ୍ତୀ ପାଇଁ କଟକରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।