କଟକ: ହାଇକୋର୍ଟରେ ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲା । ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାର ଅଗ୍ରଗତି ସମ୍ପର୍କରେ ଅଦାଲତରେ ତଥ୍ୟ ରଖିବେ ଭୁବନେଶ୍ୱର ଡ଼ିସିପି । ଦୁଷ୍କର୍ମ ଘଟଣାରେ ଘରୋଇ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ଥିବାବେଳେ ଏହି ଘଟଣାର ଖବର ଗଣମାଧ୍ୟମରେ ପ୍ରକାଶ ଉପରେ ରୋକ ଲଗାଇବାକୁ ଗଣମାଧ୍ୟମ ସଂସ୍ଥା ଆବେଦନ କରିଥିଲା । ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଆଉ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ରେ ହେବ ।
ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ ମାଧ୍ୟମରେ କରିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଗୌତମ ସିଦ୍ଦିକୀଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଭୁବନେଶ୍ବରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ନେଇ ଅଭିଯୋଗ ହେବା ପରେ ପୋଲିସ ଏତଲା ରୁଜୁ କରିଥିଲା । ଏହି ଘଟଣାରେ ପୋଲିସ କର୍ମଚାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଜଡିତ ଥିବା ଅଭିଯୋଗ ରହିଛି ।