କଟକ: ପଶ୍ଚିମବଙ୍ଗ ଇଗ୍ରାର ଖାଡିକୁଲ ଅଞ୍ଚଳରେ ବାଣ ବିସ୍ଫୋରଣ ଘଟଣା । ଓଡ଼ିଶାରେ ଚିକିତ୍ସିତ ହେଉଛି ବାଣ ବିସ୍ଫୋରଣର ଆହତ ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତ ଭାନୁକୁ ଗିରଫ କଲା ଇଗ୍ରା ପୋଲିସ । ଗତ 16 ତାରିଖରେ ରାତି 2ଟା ସମୟରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାଣ ବିସ୍ଫୋରଣରେ ତାର ଶରୀର 80 ପ୍ରତିଶତ ଜଳିଯାଇଛି । ଅଭିଯୁକ୍ତ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ପ୍ରକୃତ ପରିଚୟ ଲୁଚାଇଥିଲା । ସେ ବାଲେଶ୍ବରର ବାସିନ୍ଦା ହୋଇଥିବା କହିଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟି ଏଭଳି ହୋଇଥିବା କହିଥିଲା ଭାନୁ ବାଗ । ସେ ବାଲେଶ୍ଵରର ବାସିନ୍ଦା ହୋଇଥିବା ଏକ ଆଧାର କାର୍ଡ ଦେଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଭାନୁ ବାଗ ବଦଳରେ ସେ ଅନ୍ୟ ନାଁ ରେ ମେଡିକାଲରେ ଭର୍ତ୍ତି ହୋଇଥିଲା ।
ତେବେ ଅଭିଯୁକ୍ତର ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ତାଙ୍କୁ ଚିକିତ୍ସା କରିବା ପାଇଁ କହିଥିଲେ ତାଙ୍କ ସମ୍ପର୍କୀୟ । ଏହାପରେ ସ୍ଥାନୀୟ ଥାନାରେ ସୂଚନା ଦେବା ପାଇଁ ରୋଗୀର ସମ୍ପର୍କୀୟ କହିଥିଲେ । ତେବେ ଏହି ଘଟଣାରେ ଆଉ କେହି ଆହତ ହୋଇ ନାହାନ୍ତି କେବଳ ସେ ଆହତ ବୋଲି ଡାକ୍ତରଙ୍କୁ କହିଥିଲା ଭାନୁ ବାଗ । ହସ୍ପିଟାଲର ମୁଖ୍ୟଙ୍କ କହିବା ଅନୁସାରେ, ବୁଧବାର ଆମେ ସ୍ଥାନୀୟ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲା । ଖବର ପାଇବା ପରେ ଆଜି(ଗୁରୁବାର) କଲିକତାରୁ ଇଗ୍ରା ପୋଲିସ ଆସି ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି । ରୋଗୀ ଗୁରୁତର ଥିବାରୁ ପୋଲିସର ଅଜ୍ଞାତରେ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ସ୍ଥାନୀୟ ଥାନାର ଅବଗତିରେ ଭାନୁର ଚିକିତ୍ସା ଜାରି ରହିଛି ।