କଟକ:ତେଜୁଛି ବାଲିଯାତ୍ରା ଅନିୟମିତତା ବିବାଦ । ଏହି ପ୍ରସଙ୍ଗକୁ ନେଇ ଏବେ ମୁହାଁମୁହିଁ କଟକ ବାରବାଟୀ ବିଧାୟକ ଓ ସିଏମସି ମେୟର । ପରସ୍ପରକୁ ଆକ୍ଷେପ କରୁଛନ୍ତି ଉଭୟ । କେତେବେଳେ ମେୟର ବିଧାୟକଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ବିଧାୟକ ମେୟରଙ୍କୁ ଟାର୍ଗେଟ କରୁଛନ୍ତି । ସ୍ଥିତି ଏବେ ବ୍ୟକ୍ତିଗତ ସ୍ତରକୁ ଆସିଲାଣି । ଆଜି (ଶନିବାର) ମେୟରଙ୍କୁ କଡା ଜବାବ ଦେଇଛନ୍ତି ବିଧାୟକ ମୋକିମ । ମେୟର ଚାନ୍ଦା ଆଦାୟ କରି ହଜାର ୨୦୦୦ ଟଙ୍କା ପାଇ ଖୁସି ହେଉଥିଲେ ବୋଲି କହିଛନ୍ତି ମୋକିମ ।
ଦୁର୍ନୀତି ପ୍ରସଙ୍ଗରେ ମେୟର ସ୍ବଚ୍ଛତା ବାଣ୍ଟିବା ପାଇଁ ଚେଷ୍ଟା କରିଥିବା ବେଳେ ବିଧାୟକ ମୋକିମଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହାର ଜବାବରେ ମୋକିମ କହିଛନ୍ତି, " ମେୟର ସୁବାସ ବାମପନ୍ଥୀରୁ ଆସିଛନ୍ତି । ସେ ବାମପନ୍ଥୀରେ ଥିବାବେଳେ ଚାନ୍ଦା ଆଦାୟ କରୁଥିଲେ । ହଜାର ଦୁଇ ହଜାର ଟଙ୍କା ମିଳିଗଲେ ଖୁସି ହୋଇଯାଉଥିଲେ ସୁବାସ । ଆଉ ଏବେ କୋଟିକୋଟି ଟଙ୍କା ଦେଖି ସେ ବାଉଳି ହେଉଛନ୍ତି । ଶାଳୀନତା ରଖି ପାରୁନାହଁନ୍ତି । ଇଆଡୁ ସିଆଡୁ ଗପୁଛନ୍ତି । ବାଲିଯାତ୍ରାରେ ଦୁର୍ନୀତିରେ ସେ ସମ୍ପୃକ୍ତି ଅଛନ୍ତି । ନିଜର ପରିବାର ଲୋକଙ୍କୁ ବ୍ୟବହାର କରି ବେନିଫିଟ ନେଉଛନ୍ତି ସୁବାସ । ଏପରିକି ପୁଅର କମ୍ପାନୀକୁ ବି ଏଥିରେ ବ୍ୟବହାର କରାଉଛନ୍ତି । କଂଗ୍ରେସ ଯେତେବେଳେ ଏନେଇ ବାରମ୍ବାର ଆନ୍ଦୋଳନ କରୁଛି ସେ ଭୟରେ ଇଆଡୁ ସିଆଡୁ ଗପୁଛନ୍ତି ।"
ଏହା ବି ପଢନ୍ତୁ- ଜୋର ଧରିଲା ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ, ସିଏମସି ଘେରିଲା କଂଗ୍ରେସ