କଟକ: ଚଳିତ ବର୍ଷ ବାଲିଯାତ୍ରା ଶେଷ ହେବାପରେ ବାଲିଯାତ୍ରାକୁ ନେଇ ଏବେ ଦେଖାଦେଇଛି ବିବାଦ । ଚଳିତବର୍ଷ ବାଲିଯାତ୍ରା ଆୟୋଜନରେ କଟକର ସଂସ୍କୃତି ଓ ପରମ୍ପରା ଭଙ୍ଗ କରାଯିବା ସହ ସବୁ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ କଟକର ଐତିହାସିକ ବାଲିଯାତ୍ରା । ନିକଟରେ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସ୍ବର ଉଠାଇଥିଲେ ବରିଷ୍ଠ ବିଜେଡି ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ତେବେ ସହରର ମୁରବୀ, ରାଜନୈତିକ ଦଳର ନେତା ଓ ବିଭିନ୍ନ ବ୍ୟବସାୟ ସଂଗଠନକୁ ଅଣଦେଖା କରି କଟକ ଜିଲ୍ଲା ପ୍ରଶାସନ ବାଲିଯାତ୍ରା କରି ସାବାସୀ ନେଇଛି ବୋଲି ଅଭିଯୋଗ ଆଣିଛନ୍ତି ବାଲିଯାତ୍ରା ଟ୍ରେଡ୍ ୟୁନିୟନ୍ । ସଙ୍ଘର ସାଧାରଣ ସମ୍ପାଦକ ସୁକାନ୍ତ ମହାନ୍ତି କହିଛନ୍ତି, "ପୂର୍ବରୁ ବାଲିଯାତ୍ରାରେ ପ୍ରଥମେ ପୁରୁଣା ବ୍ୟବସାୟୀଙ୍କୁ ଓ ପରେ ନୂଆ ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନ ହେଉଥିଲା । ଚଳିତବର୍ଷ ନୂଆ ପୁରୁଣା ବ୍ୟବସାୟୀଙ୍କୁ ଅଣଦେଖା କରି ପ୍ଲଟ ନିଲାମ ହୋଇଥିଲା । ଯାହା ଫଳରେ ବହୁ କ୍ଷୁଦ୍ର ବ୍ୟବସାୟୀ ପ୍ଲଟ ପାଇବାରୁ ବଞ୍ଚିତ ହୋଇଛନ୍ତି ।"