କଟକ:ଦୁଇ ବର୍ଷର ବ୍ୟବଧାନ ପରେ ଏଥର କଟକରେ ହେବ ପ୍ରସିଦ୍ଧ ବାଲିଯାତ୍ରା । ଏଥିପାଇଁ ପ୍ଲଟ ବିକ୍ରୟ କାର୍ଯ୍ୟ ଜାରି ରହିଛି । ଏହି ପ୍ରକ୍ରିୟାରେ ଯେପରି ସମସ୍ତ ବ୍ୟବସାୟୀ ସାମିଲ ହେବେ, ସେନେଇ ବ୍ୟବସାୟୀ ମାନଙ୍କୁ ସଚେତନତା କରିଛି କଟକ ଜିଲ୍ଲା ପ୍ରଶାସନ । ସମସ୍ତ ବ୍ୟବସାୟୀ ମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । କେବଳ ସେତିକି ନୁହେଁ, ଚଳିତବର୍ଷ ବାଲିଯାତ୍ରାକୁ ବେଶ ଆକର୍ଷଣୀୟ କରିବାକୁ ଅନେକ ପଦକ୍ଷେପ ନିଆଯାଉଛି । ଚଳିତଥର ସମସ୍ତ ବର୍ଗର ବ୍ୟବସାୟୀ,କଳାକାରମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ବର୍ଷ ବାଲିଯାତ୍ରାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି "ଦୁଇ ବର୍ଷର କୋଭିଡ କଟକଣା ପରେ ବାଲିଯାତ୍ରା ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି । ତାକୁ ଆମେ ମନୋରମ ପରିବେଶ ଭିତରେ କରିବାକୁ ଯାଉଛୁ । ଯେଉଁଥିରେ କ୍ଲିନ ଏବଂ ଗ୍ରୀନ ବାଲିଯାତ୍ରାକୁ ଆମେ ପ୍ରୋତ୍ସାହନ ଦେବାକୁ ଯାଉଛୁ । ଆମେ ଏହା ଦ୍ବାରା ଏକ ନୂତନ ପଦକ୍ଷେପ ନେବାକୁ ଯାଉଛୁ । କଟକରେ ଯେଉଁ ପରମ୍ପରା ରହିଛି । କଟକରେ ଯେଉଁ ରାସ୍ତାଘାଟ ରହିଛି । ଜିଲ୍ଲାର ଯେଉଁ ପୁରାତନ ସ୍ଥଳ ରହିଛି ଏସବୁକୁ ଆମେ ବାଲିଯାତ୍ରାରେ ପ୍ରଚାର ପ୍ରସାର କରିବୁ । ଆମେ ଆମେ ବାଲିଯାତ୍ରା ଅବସରରେ ଏକ କ୍ୟାମ୍ପେନ ଆରମ୍ଭ କରିଛୁ କି ଯେଉଁ ମାନେ ପାରମ୍ପାରିକ କଳାକାର ଅଛନ୍ତି ସେମାନଙ୍କୁ ବାଲିଯାତ୍ରା ପ୍ଲାଟଫର୍ମରେ ପ୍ରୋତ୍ସାହିତ କରିବୁ । ଯାହା ପାରମ୍ପାରିକ ଦକ୍ଷତା ରହିଛି ଯେମିତି ବାଉଁଶ କାରିଗର, ପଥର ମୂର୍ତ୍ତି କାରିଗର, ସେମାନଙ୍କୁ ଆମେ ବାଲିଯାତ୍ରାରେ ମାନ୍ୟତା ଦେବୁ । ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ସେମାନଙ୍କ ପାଇଁ ଆମେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରୁଛୁ । କୋରୋନା ପାଇଁ ଜୀବିକାରେ ବ୍ୟାଘାତ ଘଟିଥିବା ଲୋକଙ୍କୁ ଆମେ ଦୃଷ୍ଟି ଆକର୍ଷଣ କରୁଛୁ ।