ଓଡିଶା

odisha

ETV Bharat / state

ବକ୍ସି ଜଗବନ୍ଧୁଙ୍କ ସ୍ମୃତିକୁ ସାଇତିବାକୁ ଏକାଠି ସବୁ ଦଳ, ବକ୍ସି ବଜାର ଛକରେ ମୂର୍ତ୍ତି କାମ ସାରିବାକୁ ଉଠିଲା ସ୍ୱର - ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି

ଆଜିର ଦିନରେ କଟକର ବକ୍ସି ବଜାର ନିକଟରେ ଥିବା ଅସ୍ଥାୟୀ ଜେଲରେ ସହିଦ ହୋଇଥିଲେ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁ । ତେବେ ତାଙ୍କର କଟକ ସହ ରହିଥିବା ସ୍ମୃତିକୁ ସାଇତି ରଖିବା ପାଇଁ ସବୁ ଦଳର ନେତା ଏକାଠି ହୋଇଛନ୍ତି । ସେପଟେ ବକ୍ସି ବଜାର ନିକଟରେ ହେଉଥିବା ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି କାମ ୩ ବର୍ଷ ଭିତରେ ସରିନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବଢ଼ୁଛି । ଅଧିକ ପଢ଼ନ୍ତୁ

କଟକରେ ବକ୍ସି ଜଗବନ୍ଧୁଙ୍କ ପୁଣ୍ୟତିଥି ପାଳିତ
କଟକରେ ବକ୍ସି ଜଗବନ୍ଧୁଙ୍କ ପୁଣ୍ୟତିଥି ପାଳିତ

By

Published : Jan 24, 2023, 9:09 PM IST

କଟକରେ ବକ୍ସି ଜଗବନ୍ଧୁଙ୍କ ପୁଣ୍ୟତିଥି ପାଳିତ

କଟକ: ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କର କଟକ ସହରରେ ଅନେକ ସ୍ମୃତି ରହିଛି । କଟକରେ ବକ୍ସି ଜଗବନ୍ଧୁଙ୍କୁ ନଜର ବନ୍ଦୀ ଭାବେ ରଖାଯାଇଥିଲା । କଟକରେ ହିଁ ଜେଲରେ ଥିବା ଅବସ୍ଥାରେ ସେ ସହିଦ ହୋଇଥିଲେ । ତେଣୁ ମଙ୍ଗଳବାର ବକ୍ସି ଜଗବନ୍ଧୁଙ୍କ ତିରୋଧାନ ଦିବସ ଅବସରରେ କଟକରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଦଳ ମତ ନିର୍ବିଶେଷରେ ଏକାଠି ହେଇଛନ୍ତି ସବୁ ଦଳର ନେତା । ସେପଟେ ବକ୍ସି ଜଗବନ୍ଧୁଙ୍କ ଏକ ଦଶ ଫୁଟର ପ୍ରତିମୂର୍ତ୍ତି ବକ୍ସି ବଜାରରେ ସ୍ଥାପନ କରିବା ପାଇଁ ନିର୍ମାଣ କାମ ଚାଲିଛି । କିନ୍ତୁ ସିଏମସିର ଅବହେଳା ଯୋଗୁଁ ନିର୍ଦ୍ଧାରିତ ସମୟ ଭିତରେ ସରିପାରୁନି ପ୍ରତିମୂର୍ତ୍ତି କାମ । ଯାହାକୁ ନେଇ କଟକିଆଙ୍କ ମନରେ ବଢିଛି କ୍ଷୋଭ ।

ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁ: ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ହେଉଛନ୍ତି ଇଂରେଜ ଶାସନ ବିରୋଧରେ ୧୮୧୭ ମସିହାରେ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର କର୍ଣ୍ଣଧାର । ୧୮୫୭ର ସିପାହୀ ବିଦ୍ରୋହର ବହୁ ପୂର୍ବରୁ ବ୍ରିଟିଶ ଶାସନ ବିରୋଧରେ ଆରମ୍ଭ ହୋଇଥିବା ଖୋର୍ଦ୍ଧାର ଏହି ପାଇକ ବିଦ୍ରୋହର ନାୟକ ବକ୍ସି ଜଗବନ୍ଧୁ ମାତ୍ର ୪ ଶହ କନ୍ଧ ସୈନିକଙ୍କ ସହାୟତାରେ ବାଣପୁର ଓ ଘୁମୁସରରୁ ତଡି ଦେଇଥିଲେ ବ୍ରିଟିଶ ସୈନ୍ୟଙ୍କୁ ।

କଟକରେ ସହିଦ ହୋଇଥିଲେ ବକ୍ସି ଜଗବନ୍ଧୁ:ଏହି ମହାନ ଯୋଦ୍ଧାଙ୍କର ଜୀବନର ଶେଷ ସମୟ କଟକ ସହରରେ କଟିଥିଲା । କଟକର ଏଇ ବକ୍ସି ବଜାର ଛକ ନିକଟରେ ଥିବା ଅସ୍ଥାୟୀ ଜେଲରେ ୧୮୨୫ ମସିହାରେ ବ୍ରିଟିଶ ସେନା ବକ୍ସି ଜଗବନ୍ଧୁଙ୍କୁ ଗୃହବନ୍ଦୀ କରି ରଖିଥିଲେ । ତେଣୁ ଏଇ ଛକର ନାଁ ବକ୍ସି ବଜାର । ୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ କଟକରେ ଜେଲରେ ଥିବା ସମୟରେ ସହିଦ ହୋଇଥିଲେ ବକ୍ସି ଜଗବନ୍ଧୁ । ଏହି ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କର କଟକ ସହିତ ଏତେ ଗୁଡାଏ ସ୍ମୃତି ରହିଥିବାରୁ ଆଜି ତାଙ୍କର ତିରୋଧାନ ଦିବସରେ ସବୁ ଦଳର ନେତା ଏକାଠି ହୋଇ ତାଙ୍କର ସ୍ମୃତିକୁ ସାଇତି ରଖିବା ପାଇଁ ଅଣ୍ଟା ଭିଡିଛନ୍ତି ।

୩ ବର୍ଷରେ ମଧ୍ୟ ସରି ପାରୁନି ମୂର୍ତ୍ତି କାମ: ବକ୍ସି ବଜାର ଛକରେ ଘୋଡା ସବାର ହୋଇଥିବା ବକ୍ସି ଜଗବନ୍ଧୁଙ୍କର ଏକ ଦଶ ଫୁଟର ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାର ୨୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସିଏମସି ପ୍ରତିମୂର୍ତ୍ତି ତିଆରି ପାଇଁ ବିଶିଷ୍ଟ ସ୍ତପତି ଲକ୍ଷ୍ମୀଧର ରଣାଙ୍କୁ ଟେଣ୍ଡର ଦେଇଛି । ମାତ୍ର ଦୀର୍ଘ ୩ ବର୍ଷ ପରେ ମଧ୍ୟ ପ୍ରତିମୂର୍ତ୍ତି କାମ ସରିପାରୁ ନାହିଁ । ସେପଟେ ଚଳିତ ବର୍ଷ ବକ୍ସି ଜଗବନ୍ଧୁଙ୍କର ୨୫୦ତମ ଜୟନ୍ତୀ ପାଳନ ହେବାକୁ ଅଛି । ତେଣୁ ଏହା ପୂର୍ବରୁ କଟକରେ ବକ୍ସି ଜଗବନ୍ଧୁଙ୍କର ସ୍ମୃତି ସାଇତି ରଖିବା ପାଇଁ ଠୋସ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ ଓ ବ୍ୟବସାୟୀ ସଂଘ । ତେବେ କଟକିଆଙ୍କ ଭାବାବେଗକୁ ଆଧାର କରି କେବେ ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତି ବକ୍ସିବଜାର ଛକରେ ପ୍ରତିଷ୍ଠା ହେବ ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details