କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ୭୯୬ ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଜାରି କରିଥିବା ମେରିଟ ଲିଷ୍ଟକୁ ଶୁକ୍ରବାର ଖାରଜ କରିଛନ୍ତି ହାଇକୋର୍ଟ । ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬କୁ ଓପିଏସସି ଉଲ୍ଲଙ୍ଘନ କରି ଏହି ମେରିଟ ଲିଷ୍ଟ ପ୍ରକାଶ କରିଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରିଛନ୍ତି ବୋଲି ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଓପିଏସସିର ଭୁଲ ଯୋଗୁଁ ଏବେ ଚିନ୍ତାରେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ୧୧୦୪ ଜଣ ପରୀକ୍ଷାର୍ଥୀ । ଏନେଇ ଶତାଧିକ ପରୀକ୍ଷାର୍ଥୀ ଆଜି ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ନ୍ୟାୟ ଦାବିରେ ଓପିଏସସି ଅଧ୍ୟକ୍ଷଙ୍କୁ ମଧ୍ୟ ଭେଟିଛନ୍ତି ।
୨୭ ଅଗଷ୍ଟ ୨୦୨୨ ମସିହାରେ ଏଏସଓ ପାଇଁ ରାଜ୍ୟରେ ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ନଭେମ୍ବର ୭ରେ ରେଜଲ୍ଟ ପ୍ରକାଶ ପରେ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିଲେ । ହେଲେ ଓପିଏସସି ଏହି ପରୀକ୍ଷାରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରି ଅନେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପ୍ରତି ବିଷୟରେ ୪୦ ପ୍ରତିଶତ ମାର୍କ ରଖିଥିବା ପରୀକ୍ଷାର୍ଥୀ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ବେଳେ ଏହା ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬ରେ ଉଲ୍ଲେଖ ନାହିଁ ବୋଲି ଅଭିଯୋଗ କରି କୋର୍ଟରେ ଯୁକ୍ତି କରିଥିଲେ ଆବେଦନକାରୀ । ଯାହାକୁ ନେଇ ଏବେ ପ୍ରଶ୍ନ ଘେରକୁ ଆସିଛି ଓପିଏସସି । ଅନ୍ୟପଟେ ମିରିଟ ଲିଷ୍ଟରେ ସ୍ଥାନ ପାଇବା ପାଇଁ ସଙ୍ଘର୍ଷ କରିଥିବା ପରୀକ୍ଷାର୍ଥୀ ଓପିଏସି ସାମ୍ନାରେ କାନ୍ଦିଛନ୍ତି । ପ୍ରସ୍ତୁତି ପାଇଁ ବର୍ଷ ବର୍ଷ ପରିଶ୍ରମ, ଏହାପରେ ପରୀକ୍ଷା ପରେ କୋର୍ଟରେ ମାମଲା, ଆଉ ବର୍ତ୍ତମାନ କୋର୍ଟଙ୍କ ଏପରି ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ମେରିଟ ତାଲିକାରେ ଥିବା ଛାତ୍ରଛାତ୍ରୀ ।